ବିବାଦୀୟ ପ୍ରସଙ୍ଗରୁ ଦୂରେଇ ରୁହ: ରାଷ୍ଟ୍ରପତି

ନୂଆଦିଲ୍ଲୀ : ଭାରତ ଏବେ ବିକାଶ ପଥରେ ଅଗ୍ରସର ହେଉଛି। ଆମେ ଅନେକ ବହୁ ପ୍ରତୀକ୍ଷିତ ଲକ୍ଷ୍ୟ ହାସଲର ନିକଟତର ହେଉଛୁ। ଏଭଳି ମୁହୂର୍ତ୍ତରେ ବିବାଦୀୟ ପ୍ରସଙ୍ଗ ଓ ବିତର୍କରୁ ଆମକୁ ଦୂରେଇ ରହିବାକୁ ପଡ଼ିବ। ନହେଲେ ଏହା ଆମକୁ ଲକ୍ଷ୍ୟପଥରୁ ବିଚ୍ୟୁତ କରିଦେବ। ୭୨ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏଭଳି ବାର୍ତା ଦେଇଛନ୍ତି।

ଦେଶରେ ଭିଡ଼ ହିଂସାରେ ଅନେକ ଲୋକଙ୍କ ଜୀବନ ହାନି ଘଟୁଥିବା ବେଳେ ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସବୁଠୁ ପବିତ୍ର ମନ୍ତ୍ର ‘ଅହିଂସା’ର ଶକ୍ତି ସମ୍ପର୍କରେ ଅବତାରଣା କରିଛନ୍ତି। ହିଂସାର ଶକ୍ତି ତୁଳନାରେ ଅହିଂସାର ଶକ୍ତି ଢେର୍‌ ଅଧିକ। ହିଂସା ଭିଆଇବା ପରିବର୍ତ୍ତେ ହିଂସାକୁ ଅଟକାଇବା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଅଧିକ ଶକ୍ତି ଆବଶ୍ୟକ। ଆମ ସମାଜରେ ହିଂସାର ସ୍ଥାନ ନାହିଁ ବୋଲି ରାଷ୍ଟ୍ରପତି ଏହି ପରିପ୍ରେକ୍ଷୀରେ କହିଛନ୍ତି।

ବର୍ତ୍ତମାନ ଭାରତ ଇତିହାସର ଯେଉଁ ସନ୍ଧିକ୍ଷଣରେ ପହଞ୍ଚି ସାରିଛି,ଅତୀତରେ ତାହା ଦେଶବାସୀ କେବେ ଅନୁଭବ କରି ନଥିଲେ। ଆମେ ଆମର ଅନେକଗୁଡ଼ିଏ ବହୁ ପ୍ରତୀକ୍ଷିତ ଲକ୍ଷ୍ୟ ହାସଲର ନିକଟବର୍ତ୍ତୀ ହୋଇପାରିଛୁ। ମହିଳାଙ୍କ ସୁରକ୍ଷାଠାରୁ ଆରମ୍ଭ କରି ଦେଶର ବିକାଶ ଆଦି ବିଭିନ୍ନ ପ୍ରସଙ୍ଗରେ ରାଷ୍ଟ୍ରପତି ଏହି ଅବସରରେ ତାଙ୍କ ମତ ରଖିଛନ୍ତି। ମହିଳାମାନେ ସେମାନଙ୍କ ପସନ୍ଦର ଜୀବନ ଜିଇଁ ପାରିବେ। ମହିଳାଙ୍କ ଗୋପନୀୟତା ଓ ନିରାପତ୍ତା ନେଇ ରାଷ୍ଟ୍ରପତି ଚିନ୍ତା ବ୍ୟକ୍ତ କରିବା ସହିତ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ମତ ଦେଇଛନ୍ତି।

ଦେଶରେ ସମସ୍ତଙ୍କୁ ବିଜୁଳି ଯୋଗାଇବା, ଖୋଲାରେ ମଳମୂତ୍ର ତ୍ୟାଗକୁ ସମ୍ପୂର୍ଣ୍ଣ ଭାବେ ଦୂର କରିବା, କାହାରିକୁ ବାସହୀନ ରହିବାକୁ ଦିଆ ନଯିବା ଏବଂ ଉତ୍କଟ ଦାରିଦ୍ର୍ୟକୁ ଦୂର କରିବାକୁ ରାଷ୍ଟ୍ରପତି କହିଛନ୍ତି। ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଉଥିବା କୃଷକ, ସୁରକ୍ଷା ଯୋଗାଉଥିବା ସୈନିକ ଏବଂ ଆଇନ ଶୃଙ୍ଖଳା ରକ୍ଷା କରୁଥିବା ପୁଲିସକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ, ଡାକ୍ତର, ନର୍ସ, ଶିକ୍ଷକ, ସରକାରୀ ଚାକିରିଆ, କାରଖାନାର ଶ୍ରମିକ ଏବଂ ବ୍ୟବସାୟୀଙ୍କ ଭଳି ବ୍ୟକ୍ତି ଯେଉଁମାନେ ସେମାନଙ୍କ ଦାୟିତ୍ୱ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତାର ସହିତ ସମ୍ପାଦନ କରୁଛନ୍ତି ସେମାନେ ଆମ ସ୍ୱାଧୀନତା ସଂଗ୍ରାମର ନୀତିକୁ ଧରି ରଖିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।

ଦେଶରେ ଯେଉଁ ହାରରେ ପ୍ରଗତି ଓ ପରିବର୍ତ୍ତନ ହେଉଛି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଲୋକ, ନାଗରିକ ସମାଜ ଏବଂ ନାଗରିକ ଓ ସରକାରଙ୍କ ମଧ୍ୟରେ ସହଭାଗିତା ଦ୍ୱାରା ଭାରତ ଆଗକୁ ବଢ଼ୁଛି। ଏହା ହିଁ ଭାରତୀୟ ସଭ୍ୟତାର ପରମ୍ପରା। ପୁନଶ୍ଚ ସମାଜର ଦୁର୍ବଳ ବର୍ଗଙ୍କୁ ଉନ୍ନତ ଜୀବନ ଯୋଗାଇ ଦେବା ମଧ୍ୟ ଆମ ସଭ୍ୟତାର ମୂଳତତ୍ତ୍ୱ ରହିଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ସମାଜରେ ମହିଳାମାନଙ୍କର ସ୍ୱତନ୍ତ୍ର ଭୂମିକା ରହିଥିବାରୁ ସେମାନଙ୍କ ସାମର୍ଥ୍ୟର ପୂର୍ଣ୍ଣ ବିକାଶ ପାଇଁ ସେମାନଙ୍କୁ ଆହୁରି ଅଧିକ ସ୍ୱାଧୀନତା ଯୋଗାଇ ଦେବାକୁ ରାଷ୍ଟ୍ରପତି ଗୁରୁତ୍ୱାରୋପ କରିଛନ୍ତି।

ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତା ଦିବସ ସର୍ବଦା ସ୍ୱତନ୍ତ୍ର। ତେବେ ଚଳିତବର୍ଷର ସ୍ୱାଧୀନତା ଦିବସ ଅଧିକ ଗୁରୁତ୍ୱପୂର୍ଣ୍ଣ କାରଣ ଆସନ୍ତା ଅକ୍ଟୋବର ୨ ତାରିଖରେ ଦେଶ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ କରିବ। ତେଣୁ ଗାନ୍ଧୀଙ୍କ ଚିନ୍ତାଧାରା ଏବଂ ତତ୍ତ୍ୱକୁ ଗ୍ରହଣ କରିବା ଲାଗି ସେ ଦେଶବାସୀଙ୍କୁ ଆହ୍ଵାନ କରିଛନ୍ତି।

ସମ୍ବନ୍ଧିତ ଖବର