ଆମକୁ ଭିକାରି ବନାଅ ନାହିଁ; ଏପରି ମନ୍ତବ୍ୟ ରଖି ସହିଦ ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର କୁମାରଙ୍କ ପୁଅ ମାଗିଲେ ଏମିତି କିଛି!

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ନରେନ୍ଦ୍ର କୁମାର ଗୁରୁବାର ପାକିସ୍ତାନୀ ସୈନ୍ୟ ଦ୍ୱାରା ନିହତ ହେବା ପରେ ତାଙ୍କ ଜ୍ୟେଷ୍ଠ ପୁତ୍ର ଗଣମଧ୍ୟମରେ ଯେଉଁଭଳି ଭାବେ ମନ ଖୋଲା କଥା କହିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ସହିଦ ଯବାନଙ୍କ ପ୍ରତି ସରକାରଙ୍କର ରହିଥିବା ଅନୁକମ୍ପାମୂଳକ ରାଶି ବାବଦରେ ନରେନ୍ଦ୍ରଙ୍କ ପୁଅ ମୋହିତ କୁମାର ଦାହିଆ ନିଜର ହୃଦୟର କଥା ସରକାରଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି।

ମୋହିତ କହିଛନ୍ତି କି, ‘ମୁଁ ସହିଦ ଯବାନ ନରେନ୍ଦ୍ର କୁମାରଙ୍କ ପୁଅ। ଅନ୍ତରାଷ୍ଟ୍ରୀୟ ସୀମାରେ ବାପାଙ୍କ ମୃତ୍ୟୁ ଘଟିଛି। ଏହା ନିଶ୍ଚୟ ଗର୍ବର କଥା। ମୋ ବାପାଙ୍କ ମୃତଦେହ ଉପରେ ତ୍ରିରଙ୍ଗା ଢଙ୍କା ହୋଇଥିଲା, ଏହା ଆହୁରି ବଡ଼ ଗର୍ବର କଥା। ମାତ୍ର ଶେଷ ପର୍ଯ୍ୟନ୍ତ ଆମେ ତ ଖାଲି ଗର୍ବ କରି ରହିପାରିବୁ ନାହିଁ। ଏବେ ମୋ ବାପାଙ୍କ ପାଇଁ ଗର୍ବ କରିବା, କାଲି ଆଉ କାହା ପାଇଁ କରିବା। ମାତ୍ର ମୋତେ କାର୍ଯ୍ୟାନୁଷ୍ଠାନ ଦରକାର, ପାକିସ୍ତାନ ବିରୋଧରେ। ଆମ ପରିବାରରେ ମୋ ବାପା ଏକମାତ୍ର ରୋଜଗାରିଆ ଥିଲେ। ମୁଁ ବେରୋଜଗାର, ମୋର ଜଣେ ସାନ ଭାଇ ବି ବେରୋଜଗାର। ଯଦି ମୋ ବାପା ଦେଶ ପାଇଁ ନିଜ ଜୀବନ ବଳି ଦେବା ପାଇଁ ଗୋଟାଏ ମିନିଟ୍‌ ବି ଚିନ୍ତା କଲେ ନାହିଁ ତେବେ ମୋତେ ସେ ସବୁ ଦରକାର ଯାହା ମୋ ପରିବାରକୁ ଦରକାର। ଆମକୁ ଭିକାରି ବନାଅ ନାହିଁ। ମାତ୍ର ସେପରି କିଛି କର, ଯାହା ଦ୍ୱାରା ମୋ ପରିବାର ଭଲରେ ଚଳିପାରିବ।’

ସମ୍ବନ୍ଧିତ ଖବର