ଜାତୀୟ ପତାକାକୁ ଅସମ୍ମାନ, ମୋଦିଙ୍କ ବିଦେଶ ଗସ୍ତ ଫିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚଳିତ ବ୍ରିଟେନ୍‌ ଗସ୍ତ ପୂର୍ବ ଗସ୍ତଗୁଡ଼ିକ ଅପେକ୍ଷା ଫିକା ପଡ଼ିଯାଇଛି। କଠୁଆ ଗଣଦୁଷ୍କର୍ମ ଓ ହତ୍ୟାମାମଲାରେ ଦେଶ ଭିତରେ କଡ଼ା ସମାଲୋଚନାର ଶିକାର ହୋଇଥିବା ମୋଦି ବିଦେଶରେ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ଦେଶରେ ମହିଳାଙ୍କ ବିରୋଧରେ ହିଂସା ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ନେଇ ଖଲିସ୍ତାନୀ ସମର୍ଥକ ଏବଂ ବିଭିନ୍ନ ସଂଖ୍ୟାଲଘୁ ଗୋଷ୍ଠୀ ମୋଦିଙ୍କ ଗସ୍ତ ଅବସରରେ ବିରୋଧ ପ୍ରଦର୍ଶନ କରିଥିଲେ। ଗତକାଲି ଲଣ୍ଡନରେ ଆନ୍ଦୋଳନକାରୀମାନେ ଭାରତର ଜାତୀୟ ପତାକାକୁ ନିମ୍ନଗାମୀ କରିବା ସହ ଚିରି ଦେଇଥିଲେ। ଆଜି ଏହି ଘଟଣାରେ ଭାରତ ଉଦ୍‌ବେଗ ପ୍ରକାଶ କରିଛି। ଏଭଳି କାର୍ଯ୍ୟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ ବ୍ରିଟେନ୍‌ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଭାରତ କହିଛି। ଭାରତୀୟ ହାଇକମିସନଙ୍କ ଦ୍ୱାରା ମଧ୍ୟ ଏଭଳି ଘଟଣାର ତୀବ୍ର ବିରୋଧ କରାଯାଇଥିଲା। ଗୁରୁବାର ଦିନ ବ୍ରିଟେନ୍‌ ଏହି ଘଟଣା ପାଇଁ କ୍ଷମା ମାଗିଥିବାବେଳେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦ୍ୱିପାକ୍ଷିକ ଆଲୋଚନାରେ ବସିଥିବାବେଳେ ଆନ୍ଦୋଳନକାରୀମାନେ ମୋଦି ବିରୋଧୀ ସ୍ଲୋଗାନ୍‌ ଦେବା ସହ ୫୩ଟି ରାଷ୍ଟ୍ରସଂଘ ଦେଶ ପାଇଁ ଲାଗିଥିବା ଜାତୀୟ ପତାକା ମଧ୍ୟରୁ ଭାରତୀୟ ଜାତୀୟ ପତାକାକୁ ନିମ୍ନଗାମୀ କରି ଚିରି ଦେଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ଜାତୀୟ ପତାକାକୁ ଯେଉଁଭଳି ଅସମ୍ମାନ ପ୍ରଦର୍ଶନ କରାଯାଇଛି ଆମେ ସେଥିରେ କ୍ଷୁବ୍ଧ। ଏ ବାବଦରେ ବ୍ରିନେଟର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର