ମଡେଲ୍‌ଙ୍କ ସ୍ତନ୍ୟପାନ ଫଟୋ ମାମଲାରେ ରାୟ ଦେଲେ କୋର୍ଟ; ‘ଅଶ୍ଳୀଳତା ଛବିରେ ନୁହେଁ, ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ଥାଏ’

କେରଳ: କେରଳର ଏକ ପତ୍ରିକା କଭର୍‌ ଉପରେ ମଡେଲ୍‌ ଜିଲୁ ଜୋସେଫ ଶିଶୁଟିକୁ ସ୍ତନ୍ୟପାନ କରାଉଥିବାର ଏକ ଫଟୋ ପ୍ରକାଶ ପାଇଥିଲା। ଏହାକୁ ନେଇ ବିବାଦ ଉପୁଜିଥିଲା। ସର୍ବସାଧାରଣରେ ସନ୍ତ୍ୟପାନ ଓ ଏଭଳି ପତ୍ରିକା କଭର୍‌ରେ ଖୋଲାଖୋଲି ସ୍ତନ୍ୟପାନ ଦୃଶ୍ୟ ପ୍ରଦର୍ଶନ ଅଶ୍ଳୀଳତା ବୋଲି କିଛି ମାସ ତଳେ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗର ବିଚାର କରି କେରଳ ହାଇକୋର୍ଟ ରାୟ ଦେଇଛନ୍ତି ଯେ ‘ଜଣେ ମାଆ ତା’ର ଶିଶୁକୁ ସ୍ତନ୍ୟପାନ କରାଇବା ଦୃଶ୍ୟରେ କୌଣସି ଅଶ୍ଳୀଳତା ନାହିଁ। ଅଶ୍ଳୀଳତା ସନ୍ତ୍ୟପାନରେ ନୁହେଁ, ବରଂ ଦେଖିବା ଲୋକର ଦୃଷ୍ଟିଭଙ୍ଗୀରେ ହିଁ ରହିଥାଏ।’ ବୋଲି କୋର୍ଟ କହିଛନ୍ତି। କୋର୍ଟ ଆହୁରି ବି କହିଛନ୍ତି ଯେ ‘କିଛି ଲୋକଙ୍କ ପାଇଁ ଯାହା ଅଶ୍ଳୀଳତା ଅନ୍ୟ କିଛି ଲୋକଙ୍କ ପାଇଁ ତାହା କଳାତ୍ମକ ଆଚରଣ ହୋଇପାରେ। ଜଣେ ଲୋକର ଅଶ୍ଳୀଳତା ଅନ୍ୟ ଜଣକ ପାଇଁ ସଂଗୀତ ହୋଇପାରେ।’

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବ୍ରୁଆରିରେ ମଡେଲ୍‌ ଜିଲୁ ଜୋସେଫ୍‌ଙ୍କର ମାଲାୟଲମ ପତ୍ରିକା ‘ଗୃହଲକ୍ଷ୍ମୀ’ର କଭର୍‌ ଫଟୋରେ ସ୍ତନ୍ୟପାନ ଦୃଶ୍ୟର ଏକ ଫଟୋ ପ୍ରକାଶ ପାଇଥିଲା। ଯାହାକି ଘୋର୍‌ ବିବାଦର କାରଣ ପାଲଟିଥିଲା। ପତ୍ରିକାର ପ୍ରକାଶକ ଏମ୍‌.ଭି. ଶ୍ରେୟାମ୍‌ସ କୁମାର ଏ ସଂପର୍କରେ ମତ ରଖିଥିଲେ ଯେ ସମାଜରେ ସ୍ତନ୍ୟପାନର ଉପକାରିତା ସଂପର୍କରେ ବାର୍ତ୍ତା ପ୍ରଦାନ କରିବା ପାଇଁ ଏପରି ଏକ କଭର୍‌ର ଚିନ୍ତା କରାଯାଇଥିଲା। ପିଲାକୁ କୌଣସି ବି ସ୍ଥାନରେ ସ୍ତନ୍ୟପାନ କରାଇବା ଜଣେ ମାଆର କର୍ତ୍ତବ୍ୟ। ଯଦି ସେଥିରେ କେହି ଅଶ୍ଳୀଳତା ଦେଖୁଛି ତ ସେ ଅସୁବିଧା ନିଜେ ସେହି ବ୍ୟକ୍ତିର।

ପତ୍ରିକାରେ ପ୍ରକାଶ ପାଇଥିବା ଫଟୋର କ୍ୟାପ୍‌ସନ୍‌ ରହିଥିଲା, ‘ଦୟାକରି ଏପରି ଦେଖନାହିଁ, ଆମେ ସ୍ତନ୍ୟପାନ କରାଉଛୁ।’ ‘ଗୃହଲକ୍ଷ୍ମୀ’ ପତ୍ରିକାର ମାର୍ଚ ସଂଖ୍ୟାରେ ଏହି କଭର୍‌ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଏହାକୁ ବିରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର