ଥମୁନି ରାଫେଲ୍‌ ଝଡ଼: ତଦନ୍ତ ଦାବି କଲା କଂଗ୍ରେସ

ଖୋଲା ବିତର୍କ ପାଇଁ ପୁଣି ଦାବି

କୋଲ୍‌କାତା: ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ଚୁକ୍ତିକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ବିଶେଷକରି ବିରୋଧୀ ଦଳ କଂଗ୍ରେସ ଏହି ଚୁକ୍ତି ଉପରେ ବାରମ୍ବାର ପ୍ରଶ୍ନ ଉଠାଉଛି। ଶାସକ ବିଜେପି ପକ୍ଷରୁ ଯେତେ ସଫେଇ ଦିଆଗଲେ ହେଁ ଏଥିରେ କଂଗ୍ରେସ ସନ୍ତୁଷ୍ଟି ପ୍ରକାଶ ନକରି ଏହା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଜୋରଦାର ଦାବି କରିଛି। ଏମିତି କି ପ୍ରସଙ୍ଗ ଉପରେ ସରକାରଙ୍କ ସହିତ ଏକ ଖୋଲା ମଞ୍ଚରେ ବିତର୍କ ନିମନ୍ତେ ମଧ୍ୟ କଂଗ୍ରେସ ଦାବି ଉଠାଇଛି। କଂଗ୍ରେସର ଯୁକ୍ତି ହେଉଛି ପ୍ରତିରକ୍ଷା ସଂଗ୍ରହଣ ପଦ୍ଧତି ଅବଲମ୍ବନ କରାନଯାଇ ଏଭଳି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରାଯାଇଛି। ଏମିତି କି ଅନେକ ବରିଷ୍ଠ ମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇ ପଦକ୍ଷେପ ନିଆଯାଇଛି। ଏହା ସଂପୂର୍ଣ୍ଣ ବେଆଇନ ଏବଂ ଏ ନେଇ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଆଜି କୋଲ୍‌କାତାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଫେଲ୍‌ ଯୁଦ୍ଧ ବିମାନ କ୍ରୟ ଚୁକ୍ତି ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି। ବେଆଇନ ଭାବେ ହୋଇଥିବା ଏହି ଚୁକ୍ତି ଯୋଗୁ ରାଜକୋଷକୁ କୋଟି କୋଟି ଟଙ୍କା କ୍ଷତି ହେବ। ୟୁପିଏ ଅମଳରେ ରାଫେଲ୍‌ ଚୁକ୍ତି ବାବଦରେ ଯେଉଁ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା, ତା’ଠାରୁ ୩ ଗୁଣ ଅଧିକ ମୂଲ୍ୟରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ତେଣୁ ସାଧାରଣ ଜନତାଙ୍କ ସମ୍ମୁଖରେ ଏ ବାବଦରେ ଖୋଲା ବିତର୍କ ହେବା ଆବଶ୍ୟକ। ଏମିତି କି ଚୁକ୍ତିକୁ ନେଇ ଏକ ବିସ୍ତତ ତଦନ୍ତ କରାଯିବା ଉଚିତ ବୋଲି ଚିଦମ୍ବରମ୍‌ କହିଛନ୍ତି।

ରାଫେଲ୍‌ ବିମାନ ମୂଲ୍ୟ ସମ୍ବନ୍ଧରେ ସୂଚନା ଦେଇ ଚିଦମ୍ବରମ୍‌ କହିଛନ୍ତି, ୟୁପିଏ ସରକାରଙ୍କ ଅମଳରେ ମୋଟ ୧୨୬ ବିମାନ ହାସଲ ପାଇଁ ନିଷ୍ପତ୍ତି ହୋଇଥିଲା। ତନ୍ମଧ୍ୟରୁ ୧୮ଟିର ଆମଦାନି ହେବାକୁ ଥିବା ବେଳେ ବଳକା ୧୦୮ଟି ଭାରତରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ଦ୍ୱାରା ନିର୍ମାଣ କରାଯିବ ବୋଲି ଧାର୍ଯ୍ୟ ହୋଇଥିଲା। ତେବେ ଫ୍ରାନ୍ସରୁ ଆସିବାକୁ ଥିବା ରାଫେଲ୍‌ ବିମାନ ପିଛା ମୂଲ୍ୟ ୫୨୬ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। ତେଣୁ ଫ୍ରାନ୍ସରୁ ଆସିବାକୁ ଥିବା ୧୮ଟି ବିମାନ ମୂଲ୍ୟ ୯,୪୬୮ କୋଟି ଟଙ୍କା ହୋଇଥାନ୍ତା। କିନ୍ତୁ ବିଜେପି ସରକାର ୩୬ଟି ବିମାନ କିଣିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏହାର ମୋଟ ମୂଲ୍ୟ ୧୮,୯୩୬ କୋଟି ଟଙ୍କା ହୋଇଥାନ୍ତା। କିନ୍ତୁ ବିଜେପି ଏଥିପାଇଁ ୭୫୦ କୋଟି ୟୁରୋ ବା ପ୍ରାୟ ୬୦,୧୪୫ କୋଟି ଟଙ୍କା ଚୂଡ଼ାନ୍ତ କରିଛି। ୟୁପିଏ ଦ୍ୱାରା ଧାର୍ଯ୍ୟ ହୋଇଥିବା ମୂଲ୍ୟ ତୁଳନାରେ ଏହା ୩ ଗୁଣରୁ ଅଧିକ ହେବ ବୋଲି ଚିଦମ୍ବରମ୍‌ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର