ନୂଆଦିଲ୍ଲୀ: ଗଙ୍ଗାନଦୀ କୂଳସ୍ଥ ସହରଗୁଡ଼ିକରେ ପ୍ଲାଷ୍ଟିକ୍ ନିର୍ମିତ ଜିନିଷ ଯଥା ଜରିବ୍ୟାଗ୍, ପ୍ଲେଟ ଓ ଅନ୍ୟ କେତେକ ପ୍ଲାଷ୍ଟିକ୍ ଉପକରଣ ବ୍ୟବହାର ଉପରେ ଶୁକ୍ରବାର ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି ) କଟକଣା ଲଗାଇଛନ୍ତି। ଏନ୍ଜିଟି ଅଧ୍ୟକ୍ଷ ଜଷ୍ଟିସ୍ ସ୍ୱତନ୍ତର କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, ହରିଦ୍ୱାର, ଋଷିକେଶଠାରୁ ଉତ୍ତରକାଶୀ ଯାଏଁ ଗଙ୍ଗାନଦୀ ତଟସ୍ଥ ସହରଗୁଡ଼ିକରେ ଏଭଳି ପ୍ଲାଷ୍ଟିକ୍ ପଦାର୍ଥ ତିଆରି ଓ ଗଚ୍ଛିତ ରଖିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ। ଏହି ଆଇନ୍ର ଉଲ୍ଲଂଘନ କଲେ ୫ହଜାର ଟଙ୍କାର ଜୋରିମାନା ହେବ। ଏହା ସହିତ ଉକ୍ତ ବ୍ୟକ୍ତି ଓ ସେହି ସ୍ଥାନର ଦାୟୀତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏନ୍ଜିଟି ସ୍ପଷ୍ଟ କରିଛନ୍ତି। ଏନ୍ଜିଟିଙ୍କ ନିର୍ଦ୍ଦେଶ ପରେ ଉକ୍ତ ସହରଗୁଡ଼ିକରେ ନିର୍ଦ୍ଦିଷ୍ଟ କିସମର ପ୍ଲାଷ୍ଟିକ୍ ସାମଗ୍ରୀ ବ୍ୟବହାର ବନ୍ଦ ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି।