କାବୁଲ୍‌ରେ ଆତ୍ମଘାତୀ ବିସ୍ଫୋରଣ : ବଢ଼ିଲା ମୃତ୍ୟୁ ସଂଖ୍ୟା, ୮ ସାମ୍ବାଦିକଙ୍କ ସମେତ ୨୫ ମୃତ

କାବୁଲ:  ଅାଫଗାନିସ୍ତାନ୍ ରାଜଧାନୀ କାବୁଲ୍‌ରେ ସୋମବାର ସକାଳୁ ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିବାରୁ ବହୁ କ୍ଷୟକ୍ଷତି ଦେଖିବାକୁ ମିଳିଛି। ଏବେ ସୁଦ୍ଧା ଏହି ବିସ୍ଫୋରଣରେ ୮ ଜଣ ସାମ୍ବାଦିକଙ୍କ ସହ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସକାଳୁ ଜଣେ ସାମ୍ବାଦିକଙ୍କ ସହ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ସ୍ୱାସ୍ଥ୍ୟ ମନ୍ତ୍ରାଳୟ  ଦେଇଥିବା ବେଳେ ଏବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।

ସକାଳୁ ମନ୍ତ୍ରାଳୟ ମୁଖପାତ୍ର ଓ୍ଵାହିଦ୍‌ ମଜ୍‌ରୋହ୍‌ କହିଥିଲେ ଯେ ଆତ୍ମଘାତୀ ବିସ୍ଫୋରଣ ପରେ ୨୭ ଜଣ ଆହତଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା  ବଢ଼ିଯାଇଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସାମ୍ବାଦିକମାନଙ୍କ ନିକଟରେ ପ୍ରଥମ ବିସ୍ଫୋରଣ ଘଟିବାର କିଛି ମୁହୂର୍ତ୍ତ ପରେ ଦ୍ୱିତୀୟ ବିସ୍ଫୋରଣ ଘଟିଥିଲା ବୋଲି ପୁଲିସ ମୁଖପାତ୍ର କାବୁଲ ହସ୍‌ମତ୍‌ ସ୍ଥାନିକ୍‌ଜାଇ କହିଥିଲେ । ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ସାମ୍ବାଦିକଙ୍କ ଛଦ୍ମବେଶରେ ଅାସି ଲୋକମାନଙ୍କ ଗହଣରେ ପଶିବା ପରେ ନିଜ ପାଖରେ ରଖିଥିବା ବୋମା ବିସ୍ଫୋରଣ ଘଟାଇଥିଲେ ବୋଲି ସେ କହିଛନ୍ତି।

ଦୁଇଟିଯାକ ବିସ୍ଫୋରଣ ଆତ୍ମଘାତୀ ବିସ୍ଫୋରଣ ବୋଲି ନିରାପତ୍ତା ସୂତ୍ରରୁ ପ୍ରକାଶ। ପ୍ରଥମ ଜଣକ ମୋଟରସାଇକେଲ ଚଳାଉଥିଲାବେଳେ ବିସ୍ଫୋରଣ ଘଟାଇବାରୁ ସେଠାରେ ଅନ୍ୟୂନ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୫ ଜଣ ଆହତ ହୋଇଥିଲେ।

ସକାଳ ୮ଟା ପୂର୍ବରୁ ଘଟିଥିବା ଏହି ଏହି ଆତ୍ମଘାତୀ ବିସ୍ଫୋରଣ ପାଇଁ ଏ ପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରି ନାହାନ୍ତି।

ସମ୍ବନ୍ଧିତ ଖବର