ଶାହଙ୍କୁ ଭେଟିଲେ ଡୋଭାଲ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ସ୍ବାଭାବିକତା ଫେରାଇ ଆଣିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଡୋଭାଲ ସେଠାରେ ବ୍ୟକ୍ତିଗତଭାବେ ୧୦ ଦିନ ରହି ପରିସ୍ଥିତି ଉପରେ ନଜର ରଖିଥିଲେ। ସେଠାରୁ ଫେରିବା ପରେ ସେ ପ୍ରଥମ ଥର ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଗୃହ ସଚିବ ରାଜୀବ ଗୌବା, ଗୁଇନ୍ଦା ବ୍ୟୁରୋ ମୁଖ୍ୟ ଅରବିନ୍ଦ କୁମାର ଏବଂ ଗୃହ ମନ୍ତ୍ରାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଯଦିଓ ବୈଠକର ଆଲୋଚନା ସମ୍ପର୍କରେ ସରକାରୀ ଭାବେ କିଛି କୁହାଯାଇ ନାହିଁ ତଥାପି ଉଭୟ ଡୋଭାଲ ଏବଂ କୁମାର ଶାହଙ୍କୁ କଶ୍ମୀର ସ୍ଥିତି ସମ୍ପର୍କରେ ଅବଗତ କରାଇଥିବା ନେଇ ଚର୍ଚ୍ଚା ହେଉଛି। ଏଥିସହିତ ଆଗାମୀ ଦିନରେ ପରିସ୍ଥିତିକୁ ଆହୁରି ସ୍ବାଭାବିକ କରିବା ପାଇଁ କି ରଣନୀତି ଗ୍ରହଣ କରାଯାଇ ପାରିବ ସେ ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର