ନୂଆ ସାମରିକ ନୀତି ପ୍ରସ୍ତୁତ କରୁଛନ୍ତି ଡୋଭାଲ, ଆସନ୍ତା ମାସରେ ସରକାରଙ୍କୁ ଦେବେ ରିପୋର୍ଟ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଯୋଜନା କମିଟି (ଡିପିସି)ର ମୁଖ୍ୟ ତଥା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତର ନୂଆ ସାମରିକ ନୀତି ପ୍ରସ୍ତୁତ କରୁଛନ୍ତି। ଆସନ୍ତା ଅକ୍ଟୋବର ମାସରେ ସେ ଏହି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଭାରତର ଯୁଦ୍ଧ ନୀତି, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ସେନାର ଆଧୁନିକୀକରଣ, ନୌସେନାର ପରିବର୍ଦ୍ଧିତ କାର୍ଯ୍ୟକ୍ରମ ଆଦି ସଂପର୍କରେ ବିସ୍ତୃତ ଭାବେ ଅନୁଧ୍ୟାନ କରି ଡୋଭାଲ ଏହି ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏଥିରେ ଭାରତର ପରମାଣୁ ନୀତି ସଂପର୍କରେ ମଧ୍ୟ ଆଭିମୁଖ୍ୟ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଭାରତ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର କରିବ କି ନାହିଁ ତାହା ଏହି ରିପୋର୍ଟରେ ସ୍ପଷ୍ଟ କରାଯିବ।

ଏହି ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଏବଂ ଏହାକୁ ସରକାରଙ୍କୁ ପ୍ରଦାନ ପୂର୍ବରୁ ସମସ୍ତ ପ୍ରସଙ୍ଗରେ ଡୋଭାଲ ଶେଷ ସ୍ପର୍ଶ ଦେଉଛନ୍ତି ବୋଲି ଜଣାପଡ଼ିଛି। ନୂଆ ସାମରିକ ନୀତି ନେଇ ଡିପିସିର ଗଠନ ୨୦୧୮ରେ ହୋଇଥିଲା ଏବଂ ଡୋଭାଲଙ୍କୁ ଏହାର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଏହି ରିପୋର୍ଟ ଆଧାରରେ ଦେଶରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ମହଜୁଦ ରଖାଯିବ ଏବଂ ପୂର୍ବରୁ ରହିଥିବା ସୁରକ୍ଷା ନୀତିରେ ବ୍ୟାପକ ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର