ଯୌତୁକ ନିର୍ଯାତନା ଆଇନ: ସ୍ୱାମୀଙ୍କୁ ତତ୍କାଳ ଗିରଫ କରାଯାଇ ପାରିବ

ଅଭିଯୁକ୍ତଙ୍କ ପାଇଁ ଆଗୁଆ ଜାମିନ ବିକଳ୍ପ ରହିବ, ‘ଧାରା ୪୯୮-ଏ’କୁ ଦୁର୍ବଳ କରାଯିବ ନାହିଁ

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନା ଆଇନରେ ସ୍ୱାମୀ ଏବଂ ତାଙ୍କ ପରିବାର ପ୍ରତି ରହିଥିବା କୋହଳ ଦିଗକୁ ଆଜି ସୁପ୍ରିମ୍‌ କୋର୍ଟ ହଟାଇ ଦେଇଛନ୍ତି। ସୁପ୍ରିମ୍‌ କୋର୍ଟ ଏହି ଆଇନ ମାମଲାରେ ପୂର୍ବରୁ ଦେଇଥିବା ରାୟରେ ଆଜି ବଡ଼ ପରିବର୍ତ୍ତନ ଆଣିବା ସହ ଯୌତୁକ ନିର୍ଯାତନା ଅଭିଯୋଗ ଆସିଲେ ସ୍ୱାମୀଙ୍କୁ ତତ୍କାଳ ଗିରଫ କରିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କହିଛନ୍ତି। ଅଭିଯୋଗର ସମାଧାନ ପାଇଁ ପରିବାର କଲ୍ୟାଣ କମିଟିର କୌଣସି ଆବଶ୍ୟକତା ରହିବ ନାହିଁ। ମାମଲାରେ ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ନେଇ ପୂର୍ବରୁ ସୁପ୍ରିମ୍‌ କୋର୍ଟ ଯେଉଁ ପ୍ରତିବନ୍ଧକ ଲଗାଇଥିଲେ ତାହାକୁ ଆଜି ରଦ୍ଦ କରିଛନ୍ତି। ପୀଡ଼ିତାଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଜରୁରୀ ବୋଲି କୋର୍ଟ କହିଛନ୍ତି। ତେବେ ଅଭିଯୁକ୍ତମାନଙ୍କ ପାଇଁ ଆଗୁଆ ଜାମିନର ବିକଳ୍ପ ରହିବ ବୋଲି ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ ରାୟ ମୁତାବକ ପୁଲିସ ସିଆର୍‌ପିସିର ଧାରା ୪୧ ଆଧାରରେ ପଦକ୍ଷେପ ନେବ ଏବଂ ପର୍ଯ୍ୟାପ୍ତ ଭିତ୍ତି ଆଧାରରେ ଗିରଫଦାରୀ କରାଯିବ। ଯୌତୁକ ନିର୍ଯାତନା ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତ ବର୍ଷ ଦେଇଥିବା ରାୟରେ କହିଥିଲେ ଯେ ଯୌତୁକ ନିର୍ଯାତନା ମାମଲାରେ ସିଧାସଳଖ ଗିରଫଦାରୀ ହେବ ନାହିଁ। ତେବେ ପରବର୍ତ୍ତୀ ସମୟରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି ଆରମ୍ଭ କରିଥିଲେ ଏବଂ ଆଜି ଏ ବାବଦ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ୨୭ ଜୁଲାଇ ୨୦୧୭ରେ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ ଯେ ଆଇପିସିର ଧାରା ୪୯୮ଏ’ରେ ସିଧାସଳଖ ଗିରଫଦାରୀ ହୋଇପାରିବ ନାହିଁ। ଏହି ଧାରାର ଦୁରୁପଯୋଗ ହେଉଥିବାରୁ କୋର୍ଟ ଏଥିରେ ଅଙ୍କୁଶ ଲଗାଇଥିଲେ। ଯୌତୁକ ନିର୍ଯାତନା ଅଭିଯୋଗ ଆସିବା ପରେ ପରିବାର କଲ୍ୟାଣ ସମିତି ଦ୍ୱାରା ତଦନ୍ତ ହେବ ଏବଂ ତଦନ୍ତ କମିଟିର ରିପୋର୍ଟ ଆଧାରରେ ହିଁ ଗିରଫଦାରୀ କରାଯିବ ବୋଲି ଖଣ୍ଡପୀଠ କହିଥିଲେ। ତେବେ ଆଜି ତିନି ଜଣିଆ ଖଣ୍ଡପୀଠ ପୂର୍ବ ରାୟରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ଆମେ ଆଇନ ତିଆରି କରିପାରିବୁ ନାହିଁ, କେବଳ ବ୍ୟାଖ୍ୟା କରିବୁ। ସିଆରପିସିର ଧାରା ୪୯୮ଏକୁ ଦୁର୍ବଳ କରାଗଲେ ଏହି ଆଇନ ବଳରେ ମହିଳାଙ୍କୁ ମିଳିଥିବା ଅଧିକାରର ଉଲ୍ଲଂଘନ ହେବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର