ନୂଆଦିଲ୍ଲୀ: ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଡାକ୍ତର କାଫିଲ୍ ଖାଁଙ୍କୁ ‘ଏନ୍ଏସ୍ଏ’ରେ ବୁକ୍ କରାଯାଇଛି। ୨୦୧୯ ମସିହା ଡିସେମ୍ବର ୧୨ ତାରିଖ ଦିନ ଆଲିଗଡ଼ ମୁସ୍ଲିମ୍ ୟୁନିଭର୍ସିଟିରେ ଡାକ୍ତର କାଫିଲ୍ ଖାଁ ‘ସିଏଏ’ ବିରୋଧୀ ଭାଷଣ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।
ହିଂସା ଉଦ୍ରେକକାରୀ ଭାଷଣ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଶିଶୁରୋଗ ବିଶେଷଜ୍ଞ ଡାକ୍ତର କାଫିଲ୍ ଖାଁ ଏବେ ଜେଲ୍ରେ ଅଛନ୍ତି। ସୋମବାର ଦିନ ତାଙ୍କୁ ଜାମିନ ମିଳିଥିଲେ ମଧ୍ୟ ଜେଲ୍ରୁ ଛଡ଼ା ଯାଇ ନ ଥିଲା। ଏ ସଂକ୍ରାନ୍ତରେ ଗୁରୁବାର ଦିନ ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। କିନ୍ତୁ, ଆଜି ଉତ୍ତର ପ୍ରଦେଶ ସରକାର ତାଙ୍କୁ ‘ଏନ୍ଏସ୍ଏ’ରେ ବୁକ୍ କରିଛନ୍ତି।
/sambad/media/post_attachments/wp-content/uploads/2020/02/dk-300x172.jpg)
ଏ ସମ୍ପର୍କରେ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ (କ୍ରାଇମ୍) କହିଛନ୍ତି ଯେ ତାଙ୍କୁ ‘ଏନ୍ଏସ୍ଏ’ରେ ବୁକ୍ କରାଯିବାରେ ଯଥେଷ୍ଟ କାରଣ ରହିଛି।
ଆଜିର ଘଟଣାରେ ଡାକ୍ତର କାଫିଲ୍ ଖାଁଙ୍କ ଭାଇ ଆଦିଲ୍ ଅହମଦ୍ ଖାଁ କହିଛନ୍ତି ଯେ ମଥୁରା ଜେଲ୍ କର୍ତ୍ତୃପକ୍ଷ ଅଦାଲତଙ୍କ ଆଦେଶ ଅବମାନନା କରିଛନ୍ତି।
ଜାନୁଆରି ୧୯ ତାରିଖ ଦିନ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ ଫୋର୍ସ ଡାକ୍ତର ଖାଁଙ୍କୁ ମୁମ୍ବାଇରୁ ଗିରଫ କରିଥିଲା। ସେଠାରୁ ତାଙ୍କୁ ଆଲିଗଡ଼ ଅଣାଯାଇଥିଲା। ଆଲିଗଡ଼ର ‘ଏଏମ୍ୟୁ’ ଠାରେ ଚାଲିଥିବା ‘ସିଏଏ’ ବିରୋଧୀ ପ୍ରତିବାଦରେ ସେ ଭାଗ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ମଥୁରାର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ୨୦୧୭ ମସିହା ଅଗଷ୍ଟ ମାସରେ ଗୋରଖପୁର ‘ବିଆର୍ଡି’ ମେଡିକାଲ୍ କଲେଜ ଶିଶୁମୃତ୍ୟୁ ମାମଲାରେ ଡାକ୍ତର କାଫିଲ୍ ଖାଁଙ୍କୁ ଗିରଫ କରାଯାଇଥିଲା। ଏହାର ପ୍ରାୟ ଦୁଇ ବର୍ଷ ପରେ ରାଜ୍ୟ ସରକାର ତାଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିଥିଲେ।