ଭାରତୀୟ ସୀମାରେ ପ୍ରହରା ଦେବ ଏହି ମେସିନ, ଏହା ନଜରରୁ ବର୍ତ୍ତି ପାରିବେ ନାହିଁ ଆତଙ୍କବାଦୀ

ନୂଆଦିଲ୍ଲୀ : ଭାରତର ସୀମାରେ ଆତଙ୍କବାଦୀ, ଚୋରାବ୍ୟାପାରୀ ଓ ବେଆଇନ ଅନୁପ୍ରବେଶ ସମସ୍ୟା ଦିନକୁ ଦିନ ବଢିଚାଲିଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ରେ ଚୀନ ଓ ପାକିସ୍ତାନକୁ ଲାଗିଥିବା ସୀମାରେ ଦୁର୍ଗମ ପାର୍ବତ୍ୟ ଅଂଚଳ ଥିବାରୁ ସେଠାରେ ପ୍ରହରା ଦେବା ଭାରତୀୟ ସୁରକ୍ଷା ବାହିନୀ ପାଇଁ ସବୁବେଳେ କଷ୍ଟକର ରହିଆସିଛି । ଉତ୍ତରରେ ହିମାଳୟ ପରି ବରଫାବୃତ ଅଂଚଳ ରହିଥିବାବେଳେ ରାଜସ୍ତାନ ସୀମାରେ ରହିଛି ମରୁଭୂମି । ଏହାର ସୁଯୋଗ ନେଇ ଅନେକ ସମୟରେ ଅନୁପ୍ରବେଶ ଘଟୁଛି । ଏହି ସମସ୍ୟାର ଏକ ସ୍ୱତନ୍ତ୍ର ସମାଧାନ ଆଣିଛି ଭାରତୀୟ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା ବା ଡିଆରଡିଓ । ଡିଆରଡିଓ ପକ୍ଷରୁ ଏକ ଅତ୍ୟାଧୁନିକ ପ୍ରହରା ମେସିନ ନିର୍ମାଣ କରାଯାଇଛି । ଏହି ମେସିନକୁ ସୀମାରେ ଲଗାଇଲେ କେଉଁଠାରେ ଅନୁପ୍ରବେଶ ହେଉଛି ତାହା ତୁରନ୍ତ କଣ୍ଟ୍ରୋଲ ରୁମକୁ ଜଣାଇେଦେବ । ଏଥିରେ ଏକ ଶକ୍ତିଶାଳୀ କ୍ୟାମେରା, ଏକ ରାଡାର, ଥର୍ମାଲ ଇମେଜିଂ, ନାଇଟ ଭିଜନ, ଇନଫ୍ରାରେଡ୍‌, ଜିପିଏସ, ହାଇବ୍ରିଡ ପାଓ୍ଵାର ସିଷ୍ଟମ ଆଦି ବ୍ୟବସ୍ଥା ରହିଛି । ଏହାକୁ ୨୦ କିଲୋମିଟର ଦୂରରୁ ରିମୋଟ କଣ୍ଟ୍ରୋଲ ମାଧ୍ୟମରେ ଚଳାଇ ହେବ । ଏହି ମେସିନ ବିଯୁକ୍ତ ୪୦ ଡିଗ୍ରୀ ସେଲସିୟରୁ ୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ କାମ କରିପାରିବ । ପୁଣି ଏପରି ମେସିନଗୁଡିକୁ ପରସ୍ପର ସହ ସଂଯୁକ୍ତ କରିହେବ । ନିକଟରେ ଏହାକୁ ସେନା ପକ୍ଷରୁ ଲେହ, ଲଦାଖ ଅଂଚଳରେ ପରୀକ୍ଷାମୂଳକ ଭାବେ ଲଗାଯାଇଛି ।

ସମ୍ବନ୍ଧିତ ଖବର