ଡ୍ରୋନ ବ୍ୟବହାର କରି ବେପାର କଲେଣି ପାକିସ୍ତାନୀ ନିଶା ବେପାରୀ, ଧରାପଡ଼ିବାରୁ ବିନା ଡେଲିଭରିରେ ସୀମା ସେପଟକୁ ଫେରିଗଲେ 

ଚଣ୍ଡିଗଡ଼: ପୂର୍ବରୁ ଡ୍ରୋନରେ ଆକ୍ରମଣ କରାଯାଉଥିବା ବେଳେ ବିଶ୍ୱର କେତେକ ବୃହତ୍‌ କମ୍ପାନି ଏବେ ଡ୍ରୋନ୍‌ ବ୍ୟବହାର କରି ଗ୍ରାହକଙ୍କ ଘର ଦ୍ୱାରରେ ବହି, ପିଜା ଆଦି ପହଞ୍ଚାଇବା ଆରମ୍ଭ କରିଛନ୍ତି। ମାତ୍ର ପାକିସ୍ତାନର ନିଶା ବେପାରୀ ଅତ୍ୟାଧୁନିକ କୌଶଳର ଫାଇଦା ଉଠାଇ ନିଜ ବେପାରକୁ ବଢ଼ାଇବାରେ ଲାଗିଛନ୍ତି। ସେମାନେ ଏବେ ଏହି ଡ୍ରୋନ୍‌ ବ୍ୟବହାର କରି  ସୀମା ଅାରପାରିରେ ନିଶାଦ୍ରବ୍ୟ ବେପାର କରୁଥିବା ସୂଚନା ରହିଛି।

ବିଏସ୍‌ଏଫ୍‌ର ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ରହିଛି ଯେ ନିକଟରେ ନିଶା ବେପାରୀମାନେ ପଞ୍ଜାବ ସୀମାନ୍ତ ଗୁରଦାସ୍‌ପୁର ଗ୍ରାମରେ ନିଶାଦ୍ରବ୍ୟ ଚାଲାଣ ଲାଗି ଡ୍ରୋନ୍‌ ବ୍ୟବହାର କରିଛନ୍ତି। ନିଶାଦ୍ରବ୍ୟ ବୋଲି ସନ୍ଦେହ କରାଯାଉଥିବା ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଏକ ଡ୍ରୋନ୍‌ ଭିତରେ ଥିବା ଦେଖିବାକୁ ମିଳିଛି। ଏହି ଡ୍ରୋନ୍‌ଗୁଡ଼ିକୁ ମୁଖ୍ୟତଃ ପଞ୍ଜାବ ସୀମାନ୍ତରେ ବ୍ୟବହାର କରାଯାଉଛି।

ନିକଟରେ ୨୦୦ ମିଟର ଉଚ୍ଚରେ ଉଡୁଥିବା ଧରାପଡ଼ିଲା ପରେ ଡ୍ରୋନ୍‌ଟି ମାଲ୍ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ବିନା ପୁଣି ପାକିସ୍ତାନକୁ ଫେରି ଯାଇଥିବା ଘଟଣା ସନ୍ଦେହ ସୃଷ୍ଟି କରିଛି । ବରିଷ୍ଠ ବିଏସ୍‌ଏଫ୍‌ ଅଧିକାରୀଙ୍କ ସୂଚନା ମୁତାବକ୍‌, ଏହି କିଛି ମାସ ଭିତରେ ଏହା ହେଉଛି ନିଶା ବେପାରୀମାନଙ୍କ ଦ୍ୱାରା ନିଆଯାଇଥିବା ଦ୍ୱିତୀୟ କୌଶଳପୂର୍ଣ୍ଣ ନିଷ୍ପତ୍ତି। ପୂର୍ବରୁ ସ୍କୁବା ଡାଇଭର ବ୍ୟବହାର କରି ସୀମାନ୍ତରେ ଏପରି ଦ୍ରବ୍ୟର ଚୋରା ଚାଲାଣ କରିବା ସେମାନଙ୍କର ପ୍ରଥମ କୌଶଳ ଥିଲା।

ବିଏସ୍‌ଏଫ୍‌ ଯବାନ ପଞ୍ଜାବରେ ଥିବା ଭାରତ-ପାକିସ୍ତାନ ସୀମାନ୍ତରେ ୫୫୩ କିଲୋମିଟର ଅଞ୍ଚଳ ଜଗିଥାନ୍ତି। ଗୁଇନ୍ଦା ସଂସ୍ଥା ମୁତାବକ, ନିଶା ଦ୍ରବ୍ୟ ‘ହିରୋଇନ୍‌’ ବେପାର ହେଉଥିବା ମୁଖ୍ୟ ସ୍ଥାନଗୁଡ଼ିକ ହେଉଛି ଆବୋର୍‌, ଫେରୋଜେପୁର୍‌, ଅମ୍ରିତସର ଏବଂ ଗୁରଦାସପୁର ଜିଲ୍ଲା। ୨୦୧୭ ମସିହାରେ ବିଏସ୍‌ଏଫ୍‌ ଯବାନ ୨୭୦ କିଲୋ ହିରୋଇନ୍‌ ଜବତ କରିଥିଲା। ୨୦୧୬ ମସିହାଠାରୁ  ଏହାର ପରିମାଣ ୧୮ ପ୍ରତିଶତ ଅଧିକ ରହିଥିଲା। ଏପରିକି ଯବାନ ଗୁଳିରେ ୬ ଜଣ ନିହତ ବି ହୋଇଥିଲେ।

ସମ୍ବନ୍ଧିତ ଖବର