ନକଲି କଲ୍ ସେଣ୍ଟର୍‌ରେ ଚଢ଼ଉ, ୩୨ ଗିରଫ

ଇସଲାମାବାଦ୍‌ : ପଶ୍ଚିମ ଦିଲ୍ଲୀର ‌ମୋତି ନଗରରୁ ଏକ ନକଲି କଲ୍‌ ସେଣ୍ଟରର ରହସ୍ୟ ଉନ୍ମୋଚନ କରିଛି ଦିଲ୍ଲୀ ପୁଲିସ। ନକଲି କଲ୍‌ ସେଣ୍ଟର୍‌ ଉପରେ ଚଢ଼ଉ କରି ପୁଲିସ ୫୫ଟି କମ୍ପ୍ୟୁଟର, ୩୫ଟି ମୋବାଇଲ୍‌ ଫୋନ୍‌ ଏବଂ ବେଆଇନ ସଫ୍ଟଓୟାର ପ୍ରୋଗ୍ରାମ୍‌ ସହ ବିଭିନ୍ନ ଉପକରଣ ଜବତ କରିଛନ୍ତି। ପୁଲିସ ସୂଚନାନୁଯାୟୀ ଏହି ନକଲି କଲ୍‌ ସେଣ୍ଟର ଦ୍ବାରା ବିଦେଶୀ ନାଗରିକଙ୍କୁ ବୋକା ବନାଇ ଟଙ୍କା ଆଦାୟ କରାଯାଉଥିଲା। କଲ୍‌ ସେଣ୍ଟର୍‌ରେ ଥିବା କର୍ମଚାରୀମାନେ ନିଜକୁ କାନାଡ଼ା ପୁଲିସ ଅଧିକାରୀ ଦର୍ଶାଇ ଫୋନ୍‌ ମାଧ୍ୟମରେ ବିଦେଶୀ ନାଗରିକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ‌ଏସ୍‌ଆଇଏନ୍‌ (ସୋସିଆଲ ଇନ୍‌ସ୍ୟୁରାନ୍ସ ନମ୍ବର୍‌) ଉଲ୍ଲଂଘନରୁ ରକ୍ଷା କରିବା ବାହାନାରେ ନାଗରିକଙ୍କଠାରୁ ଟଙ୍କା ଆଦାୟ କରାଯାଉଥିଲା। ଏସ୍‌ଆଇଏନ୍‌ ଉଲ୍ଲଂଘନ କରିଥିବା ବ୍ୟକ୍ତି ଜେଲ୍‌ଦଣ୍ଡରୁ ବର୍ତ୍ତିବା ପାଇଁ ଅତି କମ୍‌ରେ ୨୦,୦୦୦ ଡଲାର ଦେବାକୁ ଧମକ ଦିଆଯାଉଥିଲା। ଏସ୍‌ଆଇଏନ୍‌ ହେଉଛି ଏକ ୯ ସଂଖ୍ୟା ବିଶିଷ୍ଟ ନମ୍ବର। କାନାଡ଼ାରେ କାମ କରିବା ପାଇଁ ଏବଂ ସରକାରୀ ସୁବିଧା ପାଇବା ପାଇଁ ଏହା ଆବଶ୍ୟକ ପଡ଼ିଥାଏ। ତେବେ ଦିଲ୍ଲୀ ପୁଲିସ ଏ ସଂକ୍ରାନ୍ତରେ ଗତ ୧୫ ତାରିଖରେ ଖବର ପାଇବାପରେ ନକଲି କଲ୍‌ ‌ସେଣ୍ଟରରେ ଚଢ଼ଉ କରିଛି। ପୁଲିସ ଏହି କଲ୍‌ ସେଣ୍ଟରରେ କାର୍ଯ୍ୟ କରୁଥିବା ୩୨ ଜଣଙ୍କୁ ଗିରଫ କରିଛି। କିନ୍ତୁ ନକଲି କଲ୍‌ ସେଣ୍ଟର୍‌ର ମାଲିକ ଫେରାର୍‌ ଅଛି। ଜଣେ କାନାଡ଼ା ନାଗରିକ ଏଲଭିସ୍‌ ହେନ୍‌ରିଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି କଲ୍‌ ସେଣ୍ଟର୍‌ରେ ଚଢ଼ଉ କରିଥିଲା। ହେନ୍‌ରିଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ୧୩,୫୦୦ ଡଲାର ବୁଡ଼ି ଯାଇଛି।

ସମ୍ବନ୍ଧିତ ଖବର