ଉତ୍ତରପ୍ରଦେଶ, ଦିଲ୍ଲୀରେ ପ୍ରବଳ ଧୂଳି ଝଡ଼, ୨୬ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ପୁଣି ଉତ୍ପାତ ମଚାଇଛି ଧୂଳି ଝଡ଼ । ଗତ କାଲି ହୋଇଥିବା ଏକ ଭୟଙ୍କର ଧୂଳି ଝଡ଼ରେ ରାଜ୍ୟରେ ମୋଟ ୨୬ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେହିପରି ଆଜି ପ୍ରବଳ ବର୍ଷା କାରଣରୁ ଆଉ ୨ ଜଣ ମୃତ୍ୟୁବରଣ କରିଛନ୍ତି ।  ଗତକାଲି ସଂଧ୍ୟାରେ ଉତ୍ତରପ୍ରଦେଶର ୧୧ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଧୂଳିଝଡ଼ ଆସିବା ପରେ ପ୍ରବଳ ବର୍ଷା ଓ ବଜ୍ରପାତ ହୋଇଥିଲା । ଏହା ଦ୍ୱାରା ୨୬ ଲୋକ ମୃତ୍ୟୁବରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡିଛି । ମୃତ୍ୟ ବରଣ କରିଥିବା ଲୋକମାନଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାଜଧାନୀ ଦିଲ୍ଲୀରେ ଆଜି ସଂଧ୍ୟାରେ ଆସିଥିବା ଏକ ଧୂଳି ଝଡ଼ ଫଳରେ ଜନଜୀବନ ପ୍ରଭାବିତ ହୋଇଛି । କିନ୍ତୁ ବର୍ଷା ଯୋଗୁଁ ଦିଲ୍ଲୀବାସୀ ପ୍ରବଳ ଗରମରୁ ରକ୍ଷା ପାଇଛନ୍ତି । ଅନ୍ୟପକ୍ଷରେ ନିକଟରେ ମୌସୁମୀ ପ୍ରବେଶ କରିଥିବା ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ବିଶେଷଭାବେ ପ୍ରଭାବିତ ହୋଇଛି । ଆଗାମୀ କିଛି ଦିନଧରି ମଧ୍ୟ ମୁମ୍ବାଇରେ ବର୍ଷା ଅବ୍ୟାହତ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

ସମ୍ବନ୍ଧିତ ଖବର