ନିଷିଦ୍ଧ ହେଲା ଇ-ସିଗା‌ରେଟ୍‌, ନିୟମ ଭାଙ୍ଗିଲେ ଜେଲ୍‌ ଓ ଜରିମାନା

ନୂଆଦିଲ୍ଲୀ : ଯୁବ ପିଢ଼ିର ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥିବା ଇଲେକ୍ଟ୍ରୋନିକ୍ ସିଗାରେଟ ବା ଇ-ସିଗାରେଟ୍‌କୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଇ-ସିଗାରେଟ୍‌ର ଉତ୍ପାଦନ, ଆମଦାନି ଏବଂ ରପ୍ତାନି, ପରିବହନ, ବିକ୍ରି, ବିତରଣ ଏବଂ ବିଜ୍ଞାପନକୁ ନିଷିଦ୍ଧ କରାଯାଇଛି। ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏସଂପର୍କରେ ଅଧ୍ୟାଦେଶ ଜାରି କରିବା ଲାଗି ରାଷ୍ଟ୍ରପତିଙ୍କୁ ସୁପାରିସ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଆଜି ଏଠାରେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଇ-ସିଗାରେଟ୍‌ ଷ୍ଟାଇଲ୍‌ ପାଇଁ ବ୍ୟବହାର କରାଯାଉଛି। ଏହି ସମସ୍ୟା ବ୍ୟାପିବା ପୂର୍ବରୁ ସରକାର ତାହାକୁ ରୋକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଅନେକ କଂପାନି ଇ-ସିଗାରେଟ୍‌ ପ୍ରତି ନୂଆ ପିଢ଼ିର ନିକୋଟିନ୍ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିବାକୁ ଚାହୁଛନ୍ତି। ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଇ-ସିଗାରେଟ୍‌କୁ ନିଷିଦ୍ଧ କରିବା ଲାଗି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ଦେଶର ଯୁବବର୍ଗ ଏବଂ ପିଲାମାନଙ୍କ ଲାଗି ଏହା ମହାମାରୀରେ ପରିଣତ ହେବା ପୂର୍ବରୁ ସରକାର ଇ-ସିଗାରେଟ୍‌କୁ ନିଷିଦ୍ଧ କରିଥିବା ନିର୍ମଳା କହିଛନ୍ତି। ଭାରତରେ ପାଖାପାଖି ୪୦୦ରୁ ଅଧିକ ବ୍ରାଣ୍ଡ୍‌ର ଇ-ସିଗାରେଟ୍ ବିକ୍ରି ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଦେଶ ଭିତରେ ଉତ୍ପାଦନ ହୋଇନାହିଁ। ୧୫୦ରୁ ଅଧିକ ପ୍ରକାର ସ୍ବାଦରେ ଇ-ସିଗାରେଟ୍ ଉପଲବ୍ଧ ହେଉଛି।

ଇ-ସିଗାରେଟ୍‌କୁ ନେଇ ପ୍ରସ୍ତୁତ ଅଧ୍ୟାଦେଶରେ ଆଇନ ଉଲ୍ଲଂଘନକାରୀଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଏକ ଲକ୍ଷ ଟଙ୍କାର ଜରିମାନା ହେବ। ଦ୍ବିତୀୟବାର ନିୟମ ଉଲ୍ଲଂଘନ କଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଓ ୫ ଲକ୍ଷ ଟଙ୍କା ଜରିମାନା ଗଣିବାକୁ ପଡ଼ିବ। ଇ-ସିଗାରେଟ୍ ମହଜୁଦ ରଖିଲେ ୬ ମାସ ଜେଲ୍‌ ଏବଂ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଆସନ୍ତା ନଭେମ୍ବରରେ ବସିବାକୁ ଥିବା ସଂସଦର ଆଗାମୀ ଅଧିବେଶନରେ ଏହି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ପଡ଼ିବ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସ୍ବାଦଯୁକ୍ତ ଇ-ସିଗାରେଟ୍ ଉପରେ କଟକଣା ଜାରି କରିବାର କିଛି ଦିନ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗତ ଫେବ୍ରୁଆରି ମାସରେ ଇ-ସି‌ଗାରେଟ୍‌ ଏବଂ ଇ-ହୁକ୍କାର ଉତ୍ପାଦନ, ବିକ୍ରି ଓ ବିଜ୍ଞାପନ ଉପରେ କଟକଣା ଜାରି କରିବା ଲାଗି ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଇ-ସିଗାରେଟ୍‌ରେ ବ୍ୟବହୃତ ନିକୋଟିନ୍‌ ଡ୍ରଗ୍ସ ହୋଇନଥିବା ଦର୍ଶାଇ ଦିଲ୍ଲୀ ‌ହାଇକୋର୍ଟ କେନ୍ଦ୍ର ସରକାରଙ୍କର ଏହି ନିର୍ଦେଶ ଉପରେ ରୋକ୍‌ ଲଗାଇଥିଲେ। ତେବେ ପଞ୍ଜାବ, ୟୁପି, ମହାରାଷ୍ଟ୍ର, ତାମିଲନାଡୁ, ବିହାର ସମେତ ଅନେକ ରାଜ୍ୟ ଏହା ଉପରେ କଟକଣା ଜାରି କରିଛନ୍ତି।

ସମ୍ବନ୍ଧିତ ଖବର