ତିତଲି ସର୍ତକତା ! ରାତି ୧୦ଟା ପରେ ଖୋର୍ଦ୍ଧାରୋଡ୍ ଓ ବିଜୟନଗରମ୍ ମଧ୍ୟରେ ଟ୍ରେନ୍ ଚଳାଚଳ ବାତିଲ; ଟ୍ରେନ ଗତିପଥରେ ପରିବର୍ତ୍ତନ

ଭୁବନେଶ୍ବର: ଓଡିଶା ଉପକୂଳ ଆଡକୁ ମୁହାଁଉଛି ବାତ୍ୟା ତିତଲି । ତିତଲିର ଭୟାବହତାକୁ ଦୃଷ୍ଟିରେ ରଖି କିଛି ଟ୍ରେନ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳବାଇ । ଆଜି ରାତି ୧୦ଟାରୁ ଖୋର୍ଦ୍ଧାରୋଡ୍ ଓ ବିଜୟନଗରମ୍ ମଧ୍ୟରେ ଟ୍ରେନ୍ ଚଳାଚଳ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ପୂର୍ବତଟ ରେଳବାଇ ।

ହାୱାଡା-ଖଡଗପୁରରୁ ଦକ୍ଷିଣ ଦିଗ ଆଡକୁ ଗତି କରୁଥିବା ଟ୍ରେନଗୁଡିକୁ ପୂର୍ବତଟ ରେଳବାଇର ପରିଧି ମଧ୍ୟକୁ ପ୍ରବେଶ କରିବା ଉପରେ କଟକଣା ଲଗାଯାଇଛି । ଅଥାର୍ତ ସନ୍ଧ୍ୟା ୫ ଟା ୧୫ ମିନିଟ ପରେ ହାୱାଡ଼ା ପଟୁ ଭଦ୍ରକ ଦେଇ ଚାଲିବ ନାହିଁ କୌଣସି ଟ୍ରେନ୍ । ଠିକ୍ ସେହିଭଳି ହାଇଦ୍ରାବାଦ/ବିଶାଖାପାଟଣା ପଟରୁ ଉତ୍ତର ଦିଗ ଆଡକୁ ଯିବାକୁ ଥିବା ଟ୍ରେନ ଗୁଡିକୁ ୬ଟା ୪୦ ମିନିଟ ପରେ ବିଶାଖାପାଟଣାର ଦୁଭଡା ଷ୍ଟେସନରୁ ଆଗକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଏପରିକି ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଟ୍ରେନ ଗୁଡ଼ିକର ଚଳାଚଳ ଉପରେ କଟକଣା ଲଗାଇଛି ପୂର୍ବତଟ ରେଳପଥ ।

ସେହିଭଳି ଇଷ୍ଟକୋଷ୍ଟ ରେଲୱେ ପରିଧି ମଧ୍ୟରେ ଯେଉଁ ଦୂରଗାମୀ ଟ୍ରେନ ଗୁଡିକ ଖୋର୍ଦ୍ଧା ଓ ବିଜୟନଗରମ ଦେଇ ଯାଇଥାନ୍ତେ ସେମାନଙ୍କର ଗତିପଥରେ ପରିବର୍ତ୍ତନ କରାଯାଇଛି । ସେହି ଟ୍ରେନ ଗୁଡିକୁ ନାଗପୁର-ବାଲହରଶାହା-ବିଜୟୱାଡା ରୁଟରେ ଛଡାଯିବାକୁ ନିଷ୍ପତି ନିଆଯାଇଛି । ଏହାଛଡା କିଛି ଟ୍ରେନ ଗୁଡିକୁ ବାତ୍ୟାର ସ୍ଥିତି ଦେଖି ସମ୍ପୂର୍ଣ୍ଣ ଭାବେ ବାତିଲ ମଧ୍ୟ କରାଯାଇପାରେ ।

ଆଜି ରାତି ୧୦ଟା ପରେ ଖୋର୍ଦ୍ଧାରୋଡ- ବିଜୟନଗରମ ରୁଟ ମଧ୍ୟରେ କୌଣସି ଟ୍ରେନ ଚଳାଚଳ କରିପାରିବ ନାହିଁ ବୋଲି ପୂର୍ବତଟ ରେଳବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାଛଡା ପୁରୀରେ ବର୍ଷା ଯୋଗୁଁ ବିଭିନ୍ନ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି । ଯେପରିକି ପୁରୀ-ଯୋଧପୁର, ପୁରୀ-ଅହମଦାବାଦ, ପୁରୀ-ଦୁର୍ଗ ଏକ୍ସପ୍ରେସ, ପୁରୀ-ହାୱାଡ଼ା ଗରିବ ରଥର ସମୟ ପରିବର୍ତ୍ତନ କରାଯାଇଛି ।

ସମ୍ବନ୍ଧିତ ଖବର