ବିଜେପି ବିଧାୟକଙ୍କୁ ମହଙ୍ଗା ପଡ଼ିଲା ନିର୍ବାଚନୀ ପୋଷ୍ଟରରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ; ନୋଟିସ୍‌ ଜାରିକଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବିଜେପି ବିଧାୟକ ଓ ପି ଶର୍ମାଙ୍କୁ ଭାରତୀୟ ବାୟୁସେନାର ଚର୍ଚ୍ଚିତ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ସହ ଏକ ନିର୍ବାଚନୀ ପୋଷ୍ଟର ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିବା ଘଟଣା ମହଙ୍ଗା ପଡ଼ିଛି। ଏହି ଘଟଣାକୁ ନିର୍ବାଚନ କମିଶନ ଗୁରୁତ୍ୱର ସହ ନେବା ସହ ଏଥିପାଇଁ ବିଜେପି ବିଧାୟକ ଓ ପି ଶର୍ମାଙ୍କୁ କଡ଼ା ଚେତାବନୀ ଶୁଣାଇ ତାଙ୍କ ଉପରେ ନୋଟିସ୍‌ ଜାରି କରିବା ସହ ଏହି ଫଟୋକୁ ତୁରନ୍ତ ଫେସ୍‌ବୁକ୍‌ରୁ ହଟାଇବା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଆଦର୍ଶ ନିର୍ବାଚନ ଆଚରଣ ବିଧି (ଏମ୍‌ସିସି)ର କଡ଼ାକଡ଼ି ପାଳନ ଉଦ୍ଦେଶ୍ୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ନୂତନ ଭାବେ ପ୍ରଚଳନ କରା ଯାଇଥିବା ‘ସିଭିଜିଲ୍‌’ ମୋବାଇଲ ଆପ୍‌ ଜରିଆରେ ଗତ ସନ୍ଧ୍ୟାରେ ଏହି ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିବା ଜାଣିବାକୁ ମିଳିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିଶନ ଘୋଷଣା କରି କହିଥିଲେ ଯେ ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟରେ ଭାରତୀୟ ସଶସ୍ତ୍ର ବାହିନୀ ଏବଂ ବିଶେଷ କରି ଭାରତୀୟ ବାୟୁସେନାର ଚର୍ଚ୍ଚିତ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋକୁ ବ୍ୟବହାର କରାଯାଇ ପାରିବ ନାହିଁ। ଏପରି ଘଟଣା ଦୃଷ୍ଟିଗୋଚର ହେଲେ ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧି (ଏମ୍‌ସିସି)ର ଉଲ୍ଲଂଘନ ବୋଲି ବିବେଚନା କରାଯିବ।

ସମ୍ବନ୍ଧିତ ଖବର