ବୋର୍ଡିଙ୍ଗ୍‌ ପାସ୍‌ରେ ମୋଦିଙ୍କ ଫଟୋ, କପ୍‌ରେ ‘ମୈ ଭି ଚୌକିଦାର’ ସ୍ଲୋଗାନ୍‌: ସମ୍ପୃକ୍ତ ବିଭାଗକୁ ଉତ୍ତର ମାଗିଲା ନିର୍ବାଚନ କମିସନ

ନୂଆଦିଲ୍ଲୀ: ବିମାନର ବୋର୍ଡିଙ୍ଗ୍‌ ପାସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ଟ୍ରେନ୍‌ରେ ଚା ଦିଆ ଯାଉଥିବା କାଗଜ କପ୍‌ରେ ‘ମୈ ଭି ଚୌକିଦାର’ ସ୍ଲୋଗାନ୍‌ ଦେଖି ନିର୍ବାଚନ କମିସନ୍‌ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏବଂ ରେଳବାଇ ମନ୍ତ୍ରାଳୟକୁ ଜବାବ ମାଗିଛି।

ଶନିବାର ସୁଦ୍ଧା ଜବାବ ଦାଖଲ କରିବାକୁ ଉଭୟ ମନ୍ତ୍ରାଳୟକୁ କୁହାଯାଇଛି।

ଏୟାର୍‌ ଇଣ୍ଡିଆ ବୋର୍ଡିଙ୍ଗ୍‌ ପାସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ଫଟୋ ଥିବା ଚିତ୍ର ମାର୍ଚ ୨୫ ତାରିଖ ସୋମବାର ଦିନ ବିମାନଯାତ୍ରୀମାନେ ଟୁଇଟ୍‌ କରିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ତୁରନ୍ତ ବୋର୍ଡିଙ୍ଗ୍‌ ପାସ୍‌କୁ ହଟାଇବାକୁ ଏୟାର୍‌ଲାଇନ୍‌କୁ କୁହାଯାଇଛି।

କିନ୍ତୁ, ଶୁକ୍ରବାର ଦିନ ମଦୁରାଇ ଠାରୁ ଏୟାର୍‌ ଇଣ୍ଡିଆ ବିମାନର ଜଣେ ଯାତ୍ରୀ ପୁଣି ମୋଦି ଓ ରୁପାନୀଙ୍କ ଚିତ୍ର ଟୁଇଟ୍‌ କରିବାରୁ ନିର୍ବାଚନ କୋଡ୍‌ ଉଲ୍ଲଂଘନ କରିଥିବା ଅଭିଯୋଗ ଉଠିଥିଲା।

ଦ୍ୱତୀୟ ବିବାଦ ଉଠିଥିଲା କାଠଗୋଦାମ ଶତାବ୍ଦୀ ଟ୍ରେନ୍‌ରେ ଦିଆଯାଉଥିବା ଚା କପ୍‌ରେ ‘ମୈ ଭି ଚୌକିଦାର’ ସ୍ଲୋଗାନ୍‌ ଛାପା ଯାଇଥିବା କଥା ପାଇଁ। ଏହି କପ୍‌ଗୁଡ଼ିକୁ ତୁରନ୍ତ ପ୍ରତ୍ୟାହାର କରି ନିଆଯାଇଛି ବୋଲି ଇଣ୍ଡିଆନ୍‌ ରେଲ୍‌େଓ୍ଵ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌ କହିଛି। ଏଥିପାଇଁ ସମ୍ପୃକ୍ତ ଠିକାଦାରଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା କରାଯାଇଛି।

ସମ୍ବନ୍ଧିତ ଖବର