ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଭୂକମ୍ପ ଆଣିବ ପ୍ରଳୟଙ୍କରୀ ସୁନାମୀ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱର ସବୁଠାରୁ ବଡ଼ ବିପଦ ଭାବେ ପରିଗଣିତ ହେଉଛି। ବିଭିନ୍ନ ରାଷ୍ଟ୍ର ବିଗତ କିଛି ବର୍ଷ ମଧ୍ୟରେ ସୁନାମୀର ଭୟଙ୍କର ବିପଦକୁ ସାମ୍ନା କରିଛନ୍ତି। ୨୦୦୪ରେ ସୁମାତ୍ରା- ଆଣ୍ଡାମାନ ଘଟଣା କିମ୍ବା ୨୦୧୧ରେ ଉତ୍ତର ଜାପାନରେ ଆସିଥିବା ସୁନାମୀ, ଏହି ପ୍ରାକୃତିକ ବିପର୍ଯ୍ୟୟ ଧନଜୀବନର ଭୀଷଣ କ୍ଷତି ଘଟାଇଛି। ପରିବେଶ ବିଜ୍ଞାନୀଙ୍କ ମତରେ ଏବେ ପରିସ୍ଥିତି ଯାହା ରହିଛି ସେଥିରେ ଯଦି ସମୁଦ୍ର ଜଳସ୍ତର ସାମାନ୍ୟ ବି ବଢ଼ିବ, ତା’ହେଲେ ସୁନାମୀ ଯୋଗୁଁ ପ୍ରଳୟଙ୍କରୀ ସ୍ଥିତି ସୃଷ୍ଟି ହେବ। ଜଳସ୍ତର ବଢ଼ିବାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ। ସମୁଦ୍ର ଜଳସ୍ତର ବଢ଼ିଲେ ତଟବର୍ତ୍ତୀ ସହରଗୁଡ଼ିକ ପ୍ରତି କିଭଳି ବିପଦ ରହିଛି ତାହା ସମସ୍ତେ ଜାଣନ୍ତି, କିନ୍ତୁ ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ ଭୂକମ୍ପ ପରେ ଆସୁଥିବା ସୁନାମୀ ଯୋଗୁଁ ତଟବର୍ତ୍ତୀ ସହର ବ୍ୟତୀତ ବହୁ ଦୂରରେ ଥିବା ସହର ଏବଂ ଗ୍ରାମ ପାଇଁ ମଧ୍ୟ ବଡ଼ ବିପଦ ମାଡ଼ିଆସିବ। ୨୦୧୧ରେ ତୋହୋକୁ-ଓକି ଭୂକମ୍ପରେ ଆସିଥିବା ସୁନାମୀ ଯୋଗୁଁ ଉତ୍ତର ଜାପାନର ଏକ ବଡ଼ ଅଂଚଳ ବରବାଦ ହୋଇଯାଇଥିଲା। ଏଥିରେ ଏକ ପରମାଣୁ ପ୍ରତିଷ୍ଠାନ ମଧ୍ୟ ବଡ଼ଧରଣର କ୍ଷତିର ସମ୍ମୁଖୀନ ହୋଇଥିଲା। ରେଡ଼ିଓ ପଦାର୍ଥର ବିକିରଣ ଯୋଗୁଁ ଜଟିଳ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିରୁ ରକ୍ଷା ପାଇବାକୁ ସରକାରଙ୍କୁ ନାକେଦମ ହେବାକୁ ପଡ଼ିଥିଲା।

ଆମେରିକାର ଭର୍ଜିନିଆ ଟେକ୍‌ର ଜଣେ ପ୍ରଫେସର ରବର୍ଟ ବେସ୍‌ କହିଛନ୍ତି ଯେ ସମୁଦ୍ର ଜଳସ୍ତର ବଢ଼ିଲେ ଏବେ ସୁନାମୀ ବିପଦ ମଧ୍ୟ ଅଧିକ ବଢ଼ିଯିବ। ଭବିଷ୍ୟତରେ ଛୋଟ ଓ ମଧ୍ୟମ ରେଂଜ୍‌ର ଭୂକମ୍ପ ଯୋଗୁଁ ଆସିବାକୁ ଥିବା ସୁନାମୀ ମଧ୍ୟ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇବ ବୋଲି ସେ ଚେତାଇ ଦେଇଛନ୍ତି। ଏ ବାବଦ ଗବେଷଣା ରିପୋର୍ଟ ‘ସାଇନ୍‌୍‌ସ ଏଡ୍‌୍‌ଭାନ୍‌ସେସ୍‌’ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ସମୁଦ୍ର ଜଳସ୍ତର ୧.୫ ଫୁଟ ବୃଦ୍ଧି ପାଇଲେ ସୁନାମୀ ବିପଦ ୨.୪ ପର୍ଯ୍ୟନ୍ତ ବଢ଼ିଯିବ ଏବଂ ତିନି ଫୁଟ ବୃଦ୍ଧିରେ ଏହା ୪.୭କୁ ବଢ଼ି ଜଳପ୍ରଳୟ ଆଣିବ। ମଧ୍ୟମ ତୀବ୍ରତାର ଭୂକମ୍ପରେ ମଧ୍ୟ ସୁମାମୀ ବିପର୍ଯ୍ୟୟ ଆସିବ ବୋଲି ସିଙ୍ଗାପୁରର ଏକ ଗବେଷଣା ସଂସ୍ଥା କହିଛି। ଦକ୍ଷିଣ ଚୀନ୍‌ ସାଗରରେ ଏଭଳି ବିପଦ ଅଧିକ ରହିଛି।

ସମ୍ବନ୍ଧିତ ଖବର