ଦେଖନ୍ତୁ ଭିଡିଓ: ମୁସଲମାନ ବିରୋଧୀ ମନ୍ତବ୍ୟ ଦେବାରୁ ଅଷ୍ଟ୍ରେଲୀୟ ସିନେଟର୍‌ଙ୍କ ମୁଣ୍ଡରେ ଅଣ୍ଡା ଫଟାଉଛନ୍ତି ଯୁବକ

ନୂଆଦିଲ୍ଲୀ: କ୍ରାଏଷ୍ଟ୍‍ଚର୍ଚ ମସ୍‌ଜିଦ୍‌ ଗୁଳିକାଣ୍ଡର ପ୍ରକୃତ କାରଣ ବିଷୟରେ ଗଣମାଧ୍ୟମକୁ ବିବାଦୀୟ ମନ୍ତବ୍ୟ ଦେବାରୁ ଅଷ୍ଟ୍ରେଲୀୟ ସିନେଟର୍‌ ଫ୍ରେସର୍‌ ଆନିଙ୍ଗ୍‌ଙ୍କ ମୁଣ୍ଡରେ ମେଲ୍‌ବର୍ଣ୍ଣ ଠାରେ ଜଣେ ଯୁବକ ଅଣ୍ଡା ଫଟାଇଛନ୍ତି।

ଉକ୍ତ ଘଟଣାର ଉତ୍ତୋଳିତ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।

ଭିଡିଓରେ ଦେଖା ଯାଉଛି ଆନିଙ୍ଗ୍‌ କ୍ୟାମେରା ସାମ୍ନାରେ କଥା କହୁଥିବା ସମୟରେ ପଛପଟୁ ଜଣେ ଯୁବକ ଆସି ତାଙ୍କ ମୁଣ୍ଡରେ ଅଣ୍ଡାଟିଏ ଫଟାଇ ଦେଉଛନ୍ତି। ତା’ପରେ ରାଗିଯାଇଥିବା ଫ୍ରେସର୍‌ ବୁଲିପଡ଼ି ସେ ଯୁବକକୁ ମାଡ଼ ମାରି ଚାଲୁଛନ୍ତି। ଅନ୍ୟ ଜଣେ ଆସି ତାଙ୍କୁ ଅଟକାଉଛି।

କ୍ରାଏଷ୍ଟ୍‍ଚର୍ଚ ମସ୍‌ଜିଦ୍‌ ଗୁଳିକାଣ୍ଡ ନିମନ୍ତେ ନ୍ୟୁଜିଲାଣ୍ଡ୍‌ରେ ପ୍ରବାସବାସ ବଢୁଥିବା କଥାକୁ ଦାୟୀ କରିବାରୁ ଅଷ୍ଟ୍ରେଲିଆର କୁଇନ୍‌ସ୍‌ଲାଣ୍ଡ୍‌ରୁ ସିନେଟର୍‌ ହୋଇଥିବା ଫ୍ରେସର୍‌ ଆନିଙ୍ଗ୍‌ଙ୍କୁ ବିଶ୍ୱବ୍ୟାପୀ ସମାଲୋଚନା କରାଯାଇଛି।

ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ଆନିଙ୍ଗ୍‌ଙ୍କ ମନ୍ତବ୍ୟକୁ ‘ଭୟାବହ’ ଏବଂ ‘କୁତ୍ସିତ’ ବୋଲି ବର୍ଣ୍ଣନା କରି ‘ଅଷ୍ଟ୍ରେଲିଆରେ ଏ ସବୁର ସ୍ଥାନ ନାହିଁ’ ବୋଲି କହିଛନ୍ତି।

ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡ୍‌ର ଦୁଇଟି ମସ୍‌ଜିଦ୍‌ରେ ଗଣସଂହାର ଘଟଣାରେ ୫୦ ଜଣ ଲୋକ ପ୍ରାଣ ହରାଇବା ସହ ୪୮ ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର