ଅଦାଲତରେ ଟଳିପଡ଼ିଲେ ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି

କାଏରୋ : ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ତଥା ମୁସଲିମ୍ ବ୍ରଦରହୁଡ୍ ପାର୍ଟିର ବରିଷ୍ଠ ନେତା ମହମ୍ମଦ ମୋର୍ସିଙ୍କର ଆଜି ଅଦାଲତରେ ବିଚାର ଚାଲୁଥିବାବେଳେ ମୃତ୍ୟୁ ଘଟିଛି। ଶୁଣାଣି ବେଳେ ସେ ତଳେ ପଡ଼ି ଯାଇ ଚେତା ହରାଇଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ୬୭ ବର୍ଷୀୟ ମୋର୍ସିଙ୍କ ନାମରେ ଗୁଇନ୍ଦାଗିରି ଅଭିଯୋଗରେ ମାମଲା ଚାଲିଥିଲା। ୨୦୧୨ରେ ମୋର୍ସି ଗଣତାନ୍ତ୍ରିକ ଉପ‌ାୟରେ ଇଜିପ୍ଟର ପ୍ରଥମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ପରେ ୨୦୧୩ରେ ସେନା ସହାୟତାରେ ବର୍ତ୍ତମାନର ରାଷ୍ଟ୍ରପତି ଅବଦିଲ ଫତାହ ଏଲ-ସିସି ମୋର୍ସିଙ୍କୁ ଗାଦିଚ୍ୟୁତ କରି ତାଙ୍କୁ ଗିରଫ କରି ଜେଲ୍ ପଠାଇଥିଲେ। ଇଜିପ୍ଟର ତତ୍କାଳୀନ ଏକଛତ୍ରବାଦୀ ଶାସକ ହୋସ୍‌ନି ମୁବାରକଙ୍କୁ ହଟାଇବା ପରେ ଦେଶରେ ପ୍ରଥମ ଥର ପାଇଁ ହୋଇଥିବା ଗଣତାନ୍ତ୍ରିକ ନିର୍ବାଚନରେ ମୋର୍ସି ବିଜୟୀ ହୋଇ ରାଷ୍ଟ୍ରପତି ହୋଇଥିଲେ।

ସମ୍ବନ୍ଧିତ ଖବର