ଚୀନ୍‌ ଚାଲ୍‌୍‌ରେ ୮ ରାଷ୍ଟ୍ର ତଳିତଳାନ୍ତ ହେବେ:ପାକିସ୍ତାନ ପ୍ରତି ସର୍ବାଧିକ ବିପଦ

ନୂଆଦିଲ୍ଲୀ: ଚୀନ୍‌ ନିଜର ବିସ୍ତାରବାଦୀ ଯୋଜନା ଏବଂ ବିଭିନ୍ନ କ୍ଷୁଦ୍ର ରାଷ୍ଟ୍ରକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚଳାଇଥିବା ଚାଲ୍‌ରେ ସଫଳ ହେବାକୁ ଯାଉଛି। ଚୀନ୍‌ ଏବେ ପ୍ରାୟ ୮ଟି ରାଷ୍ଟ୍ରକୁ ଋଣ ଭାରରେ ବୁଡ଼ାଇ ରଖିଥିବାରୁ ସେମାନଙ୍କ ଆର୍ଥିକ ସ୍ୱାଧୀନତା ସଙ୍କୁଚିତ ହେବାରେ ଲାଗିଛି। ବିଭିନ୍ନ ରାଷ୍ଟ୍ରରେ ଭିତ୍ତିଭୂମି ବିକାଶ ଆଳରେ ବିପୁଳ ପୁଂଜି ଲଗାଣ କରୁଥିବା ଚୀନ୍‌ ପରବର୍ତ୍ତୀ ସମୟରେ ସଂପୃକ୍ତ ରାଷ୍ଟ୍ର ଉପରେ ପ୍ରବଳ ଚାପ ସୃଷ୍ଟି କରିବାରେ ଲାଗିଛି ଏବଂ ଋଣଗ୍ରସ୍ତ ରାଷ୍ଟ୍ରମାନେ ଚୀନ୍‌ ଇସାରାରେ ବସ୍‌ଉଠ ହେଉଛନ୍ତି। ଦକ୍ଷିଣ ଏସିଆର ରାଷ୍ଟ୍ର ପାକିସ୍ତାନ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ଏବେ ଚୀନ୍‌ର ଋଣଭାରରେ ବୁଡ଼ି ରହିଛନ୍ତି। ଚୀନ୍‌ ପାକିସ୍ତାନରେ ଏବେ ବିଭିନ୍ନ ଯୋଜନାରେ ୫୫ ହଜାର କୋଟି ଡଲାଲ ବିନିଯୋଗ କରିଛି ଏବଂ ଏଥିପାଇଁ ଚଢ଼ା ସୁଧ ମଧ୍ୟ ଲାଗୁ କରିଛି । ପାକିସ୍ତାନରେ ଚାଲିଥିବା ଭିତ୍ତିଭୂମି ଯୋଜନାରେ ଚୀନ୍‌ର ୮୦ ପ୍ରତିଶତ ଭାଗିଦାରୀ ରହିଛି ଏବଂ ଚୀନ୍‌ କଥାରେ ପରିଚାଳିତ ହେବାକୁ ପାକିସ୍ତାନ ବାଧ୍ୟ ହେଉଛି।

ଚୀନ୍‌-ପାକିସ୍ତାନ ଆର୍ଥିକ କରିଡରକୁ ସାକାର କରିବା ପାଇଁ ହଜାର ହଜାର ପାକିସ୍ତାନୀ ନାଗରିକଙ୍କ ଉପରେ ସରକାର ଜୁଲମ କରିବାକୁ ମଧ୍ୟ ପଛାଇ ନାହାନ୍ତି।
ପାକିସ୍ତାନ ପରେ ମାଳଦ୍ୱୀପ ମଧ୍ୟ ଚୀନ୍‌ର ଋଣ ଅର୍ଥରେ ଚାଲିଛି। ମାଳଦ୍ୱୀପର ବର୍ତ୍ତମାନର ଶାସକ ଚୀନ୍‌ର ପ୍ରତ୍ୟେକ କଥାକୁ ଗ୍ରହଣ କରି ଶାସନ ପରିଚାଳନା କରୁଛନ୍ତି। ରାଷ୍ଟ୍ରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଚୀନ୍‌ ୯୦ ପ୍ରତିଶତ ଅର୍ଥ ବିନିଯୋଗ କରିଥିବାରୁ ଆଗକୁ ଏହି ରାଷ୍ଟ୍ର କେବଳ ଚୀନ୍‌ ଦୟାରେ ହିଁ ଚାଲିବ ବୋଲି ଜଣାପଡ଼ିଛି। ସେହିଭଳି ସ୍ଥିତି ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ର ଲାଓସରେ ମଧ୍ୟ ଦେଖିବାକୁ ମିଳିଛି। ଚୀନ୍‌ ଏଠାରେ ପ୍ରାୟ ୭ ହଜାର କୋଟି ଡଲାର ବିନିଯୋଗ କରିଛି ଯାହାକି ଲାଓସର ମୋଟ ଜିଡିପିର ଅଧା ବୋଲି ଜଣାପଡ଼ିଛି। ଚୀନ୍‌ ଯେତେବେଳେ ଚାହିବ ଏହି ରାଷ୍ଟ୍ରର ସମ୍ପତ୍ତି ଅକ୍ତିଆର କରିବ। ଚୀନ୍‌ର ପଡ଼ୋଶୀ ରାଷ୍ଟ୍ର ମଙ୍ଗୋଲିଆରେ ଚୀନ୍‌ ୩୦ ହଜାର କୋଟି ଡଲାର ବିନିଯୋଗ କରି ଏହି ରାଷ୍ଟ୍ରକୁ ଏବେ ନିଜ ନିର୍ଦ୍ଦେଶରେ ଚାଲିବାକୁ ଏକ ପ୍ରକାର ବାଧ୍ୟ କରିଛି। ମଙ୍ଗୋଲିଆ ଚୀନ୍‌ର ଋଣ ଭାରରୁ କେବେ ବି ମୁକୁଳି ପାରିବ ନାହିଁ ବୋଲି କୁହାଯାଉଛି। ସେହିଭଳି ଚୀନ୍‌ର ଅର୍ଥନୈତିକ ଚାଲ୍‌ର ଶିକାର ହୋଇଥିବା ଆଉ ୪ ରାଷ୍ଟ୍ର ହେଲେ ମୋଣ୍ଟେନେଗ୍ରା, ତାଜିକସ୍ଥାନ, କିର୍ଗିସ୍ଥାନ ଏବଂ ଶ୍ରୀଲଙ୍କା।

ସମ୍ବନ୍ଧିତ ଖବର