ନିର୍ବାଚନ ରଣନୀତି ପାଇଁ ପ୍ରସ୍ତୁତି:୬ ମାସରେ ଏକାଠି ହେବେ ବିରୋଧୀ: ରାହୁଲ

ନୂଆଦିଲ୍ଲୀ: ଦେଶ ଏବେ କିଛି ବିଜେପି- ଆରଏସ୍‌ଏସ୍‌ ନେତାଙ୍କ ଦାସ ହୋଇଯାଇଛି। କିନ୍ତୁ ଏହା ଆଉ ବେଶୀଦିନ ନୁହେଁ। ଦେଶର ସବୁ ବିରୋଧୀ ଦଳ ଗୁଡ଼ିକ ମାତ୍ର ୬ ମାସ ମଧ୍ୟରେ ଏକାଠି ହେବେ ଏବଂ ସେମାନଙ୍କୁ ହୃଦ୍‌ବୋଧ କରାଇଦେବେ ଯେ ଦେଶ କେବଳ ଲୋକମାନଙ୍କ ଦ୍ୱାରା ଚାଲିବ। ୩ ଜଣଙ୍କ ଦ୍ୱାରା କେବେ ଦେଶ ଚାଲିବନି। ଆଜି ତାଲ୍‌କାତୋରା ଷ୍ଟାଡିୟମ୍‌ରେ ଦଳର ଓବିସି ସେଲ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା କହିଛନ୍ତି। ସେ ଏ ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି ଯେ, ଏହି ତିନିଜଣ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଆରଏସଏସ ମୁଖ୍ୟ ମୋହନ ଭାଗବତ। ବିଜେପିର ଅନେକ ସାଂସଦଙ୍କ ପାଟି ବନ୍ଦ କରି ଦିଆଯାଇଥିବାରୁ ସେମାନେ ଏବେ କିଛି କହିବାକୁ ମଧ୍ୟ ଭୟ କରୁଛନ୍ତି ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।
କନିଷ୍ଠ ସହଯୋଗୀ ହେବେ ଅଖିଲେଶ
ଲକ୍ଷ୍ନୌ, ୧୧|୬: ବିଜେପିକୁ କ୍ଷମତା ଦଖଲରୁ ଦୂରେଇ ରଖିବା ପାଇଁ ବିରୋଧୀ ଦଳ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି। ୟୁପି ନିର୍ବାଚନରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଅଧିକ ଆସନ ଦାବି କରିବା ପରେ ଏହାକୁ ନେଇ ମହାମେଣ୍ଟରେ ପେଞ୍ଚ ସୃଷ୍ଟି ହୋଇଥିଲା। ତେବେ ଆଉ କିଛି ଆସନ ବିଏସ୍‌ପିକୁ ଦେଇ କନିଷ୍ଠ ସହଯୋଗୀ (ଜୁନିୟର ପାର୍ଟନର) ହେବାକୁ ମଧ୍ୟ ପ୍ରସ୍ତୁତ ଅଛି ବୋଲି ଆଜି ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କହିଛନ୍ତି। ବିଜେପିର ପ୍ରତିଟି ପ୍ରାର୍ଥୀଙ୍କ ପରାଜୟ ଦେଖିବା ହେଉଛି ତାଙ୍କର ଲକ୍ଷ୍ୟ। ଆଉ ଏଥିପାଇଁ ସେ କାହା ସହିତ ବି କୌଣସି ସର୍ତ୍ତରେ ମେଣ୍ଟ କରିବାକୁ ପ୍ରସ୍ତୁତ। ବିଗତ ଉପ ନିର୍ବାଚନ ଗୁଡ଼ିକରେ ଏସ୍‌ପି-ବିଏସ୍‌ପି ମେଣ୍ଟ ବିଜେପିକୁ କ୍ଷମତା ଦଖଲରୁ ଦୂରେଇ ରଖିବାରେ ସଫଳ ହୋଇଥିବାରୁ ୨୦୧୯ରେ ମଧ୍ୟ ଏହି ମେଣ୍ଟ ରହିବ ଏବଂ ଦୁଇ ଦଳ ମିଶି ଲୋକସଭା ନିର୍ବାଚନ ଲଢିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର