ଧାରା ୩୭୦, ତିନି ତଲାକ୍ ପରେ ପ୍ରଥମ ନିର୍ବାଚନ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନରେ ନିର୍ବାଚନ ହେବାକୁ ଥିବାବେଳେ ହରିୟାଣାରେ ୯୦ ଆସନରେ ନିର୍ବାଚନ ହେବ। ଏହି ଦୁଇଟି ରାଜ୍ୟରେ ବିଜେପି କ୍ଷମତାରେ ଅଛି। ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରି ବିଜେପି ସରକାର ଗଠନ କରିଥିବାବେଳେ ହରିୟାଣାରେ ମଧ୍ୟ ବିଜେପି ସରକାର ଅଛି। ତେବେ ‌ମୋଦୀ ସରକାରଙ୍କ ଦ୍ବାରା ଧାରା ୩୭୦ ଉଚ୍ଛେଦ ହେବାପରେ ଏବଂ ତିନି ତଲାକ୍‌ ବିଲ୍‌ ଗୃହୀତ ହେବାପରେ ଏହା ପ୍ରଥମ ନିର୍ବାଚନ ହେବାକୁ ଯାଉଛି। ୨୦୧୯ ଲୋକସଭା ନିର୍ବାଚନର ମୋଦୀ ମ୍ୟାଜିକ୍‌ ଆଗାମୀ ବିଧାନସଭା ନିର୍ବାଚନରେ କାମ ଦେବନାହିଁ ବୋଲି ବିରୋଧୀ ଦଳଗୁଡ଼ିକ କହୁଥିବା ବେଳେ ଲୋକସଭା ନିର୍ବାଚନ ପରେ ପ୍ରଥମ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ସଫଳତା ପାଇବ ବୋଲି ଆଶା ରଖିଛି। ଧାରା ୩୭୦ ଏବଂ ତିନି ତଲାକ୍‌ ବିଲ୍ ପାଇଁ ଉଭୟ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଜେପି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିକଟରେ ନାସିକ୍‌ ଏବଂ ରୋହତକ୍‌ରେ କରିଥିବା ନିର୍ବାଚନୀ ରୢାଲିରେ କଶ୍ମୀର ପ୍ରସଙ୍ଗ ଉଠାଇ ବିରୋଧୀଙ୍କ ଉପରେ ବର୍ଷିଥିଲେ।

ଅନ୍ୟପକ୍ଷେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଭାପତି ପଦରୁ ଇସ୍ତଫା ଦେବାପରେ ମଧ୍ୟ ଏହି ନିର୍ବାଚନ ପ୍ରଥମ। ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଏବେ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ। ଦୁଇ ରାଜ୍ୟ ମହାରାଷ୍ଟ୍ର ଏବଂ ହରିୟାଣାରେ କଂଗ୍ରେସର ବହୁ ପୁରୁଖା ନେତା ଦଳ ଛାଡ଼ିଥିଲେ ମଧ୍ୟ କଂଗ୍ରେସ ସୋନିଆଙ୍କ ନେତୃତ୍ବରେ ନିର୍ବାଚନ ଜିତିବାପାଇଁ ପ୍ରୟାସ ଜାରି ରଖିବ।

ସମ୍ବନ୍ଧିତ ଖବର