ନିର୍ବାଚନ କମିସନ କେତେ ସଜାଗ?, ବିଧାୟକଙ୍କ ଘରେ ଇଭିଏମ୍‌

ଷ୍ଟ୍ରଙ୍ଗରୁମରେ ପଶୁଛନ୍ତି ବାହାର ଲୋକ, ସିସିଟିଭି କ୍ୟାମେରା କାମ କରୁନି

ନୂଆଦିଲ୍ଲୀ: ଦୀର୍ଘଦିନ ହେଲା ୫ଟି ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲିଛି। ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଗତକାଲି ଅନୁଷ୍ଠିତ ହୋଇଛି। ଭୋଟଦାନ ଆରମ୍ଭ ଏବଂ ଫଳାଫଳ ଘୋଷଣା ହେବା ଭିତରେ ଦୀର୍ଘଦିନର ବ୍ୟବଧାନ ରହୁଛି। ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ ଇଲେକଟ୍ରୋନିକ୍ ଭୋଟିଂ ମେସିନ(ଇଭିଏମ୍‌) ଜାଲିଆତି ହେବାର ସନ୍ଦେହ ବଢ଼ିଯାଇଛି। ଫଳରେ ଦଳୀୟ କର୍ମୀମାନେ ଷ୍ଟ୍ରଙ୍ଗରୁମ୍ ବାହାରେ ଦିନରାତି ଇଭିଏମ୍‌କୁ ଜଗି ରହିଛନ୍ତି। ତୃଣମୂଳ ସ୍ତରରେ କର୍ମୀଙ୍କ ମଧ୍ୟରେ ଇଭିଏମ ଜାଲିଆତି ନେଇ ଯେଉଁ ସନ୍ଦେହ ଦେଖାଦେଇଛି ତାହାକୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦୃଢ଼ ସମର୍ଥନ କରିଛନ୍ତି। ଗତ କିଛିଦିନ ଭିତରେ ସୁରକ୍ଷା ଭଙ୍ଗ ହେବା ଭଳି କେତୋଟି କାର୍ଯ୍ୟ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମତଃ ବେ‌ମିଟାରାରେ ସୀମା ସୁରକ୍ଷା ବଳର ଜଣେ କର୍ମଚାରୀ ଷ୍ଟ୍ରଙ୍ଗ ରୁମ୍ ଭିତରେ ଲାପଟପ୍ ବ୍ୟବହାର କରୁଥିବା ରିପୋର୍ଟ ମିଳିଥିଲା। ସେହିଭଳି ଗତ ଶୁକ୍ରବାର ରିଲାଏନ୍ସ ଜିଓର କର୍ମଚାରୀ ବୋଲି ଦାବି କରୁଥିବା ଦୁଇ ଜଣ ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ବସ୍ତର ଅଞ୍ଚଳର ଜଗଦଲପୁରଠାରେ ବୁଲୁଥିବା ଦେଖାଯାଇଥିଲା। ସେମାନଙ୍କ ପାଖରେ ଲାପଟପ୍ ଥିବାରୁ ସେମାନେ ଇଭିଏମ୍ ହ୍ୟାକ୍ କରିବାକୁ ଉଦ୍ୟମ କରୁଥିବା କଂଗ୍ରେସ କର୍ମୀ ଅଭିଯୋଗ ଆଣିଛନ୍ତି। ସେହିଭଳି ଧମତରିରେ ଜଣେ ଅଣସ୍ବୀକୃତ ବ୍ୟକ୍ତି ଜଣେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଦ୍ବାରା ଷ୍ଟ୍ରଙ୍ଗରୁମ୍ ଭିତରକୁ ପ୍ରବେଶ କରିବା ଲାଗି ସୁଯୋଗ ପାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ଏ ନେଇ ଅଭିଯୋଗ କରିବା ପରେ ନିର୍ବାଚନ କମିସନ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ତେବେ ଏହି ଘଟଣା ଏକ ବ୍ୟତିକ୍ରମ ଥିଲା ବୋଲି ନିର୍ବାଚନ କମିସନ ସଫେଇ ଦେଇଛନ୍ତି। କଂଗ୍ରେସ କର୍ମୀମାନେ ପାଟିତୁଣ୍ଡ କରିବା ପରେ ନିର୍ବାଚନ କମିସନ ସୁରକ୍ଷାରେ ଉଲ୍ଲଂଘନ ହୋଇଥିବା ବିଷୟକୁ ସ୍ବୀକାର କରିଥିଲେ ମଧ୍ୟ ଇଭିଏମ ଜାଲିଆତିକୁ ଅସ୍ବୀକାର କରିଛନ୍ତି।

ଏହି ଘଟଣା ପଦାକୁ ଆସିବା ପରେ ଦିଲ୍ଲୀରେ ବରିଷ୍ଠ ଡେପୁଟି ନିର୍ବାଚନ କମିସନର ଉମେଶ ସିହ୍ନା କହିଛନ୍ତି, ଯେ, ଯେଉଁ କୋଠାରେ ଇଭିଏମ ରଖାଯାଇଛି ତାହାର ପରିସରରେ ଏକ ମୋବାଇଲ ଟାୱାର ରହିଛି। ତେଣୁ ସୁରକ୍ଷା କର୍ମୀ ସେହି ମୋବାଇଲ ଫୋନ କମ୍ପାନିର କର୍ମଚାରୀଙ୍କୁ ଉକ୍ତ ପରିସରକୁ ଛାଡ଼ିଥିଲେ। ସୁରକ୍ଷାରେ ଏହା ଏକ ଉଲ୍ଲଂଘନ। କିନ୍ତୁ ଇଭିଏମଠାରୁ ସଂପୃକ୍ତ କର୍ମଚାରୀଜଣକ ବହୁ ଦୂରରେ ଥିଲେ ବୋଲି ସେ କହିଛନ୍ତି। ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କ କହିବାନୁଯାୟୀ, ଇଭିଏମକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିବା ବ୍ୟବସ୍ଥା ନଥିବାରୁ ସେଥିରେ ଜାଲିଆତି କରାଯାଇ ପାରିବ ନାହିଁ। ମଧ୍ୟ ପ୍ରଦେଶରେ ମଧ୍ୟ ଅତିକମ୍‌ରେ ୪ଟି ଏଭଳି ଅନିୟମିତତା ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶରେ ଏକ ଷ୍ଟ୍ରଙ୍ଗରୁମରେ ୧ ଘଣ୍ଟା ଧରି ବିଜୁଳ କାଟ୍ ହୋଇଥିବା କାରଣରୁ ସେଠାରେ ସିସିଟିଭି କ୍ୟାମେରା କାର୍ଯ୍ୟ କରି ନଥିଲା। ବିରୋଧୀମାନେ ଅଭିଯୋଗ କରିବା ପରେ ନିର୍ବାଚନ କମିସନ ଜେ‌ନେରେଟର ଲଗାଇ ସିସିଟିଭି ଚାଲୁ କରିଥିଲେ। ଏତଦବ୍ୟତୀତ ରାଜସ୍ଥାନର ଜ୍ଞାନଚାନ୍ଦ ପାରଖ ନାମକ ଜଣେ ବିଧାୟକଙ୍କ ଘରେ ଇଭିଏମ ମିଳିଥିବାର ଭିଡିଓ ଶୁକ୍ରବାର ଭାଇରାଲ ହୋଇଛି। ଏହି ଭିଡିଓକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ବିଟ୍ କରିବା ସହିତ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଇଭିଏମକୁ ଜଣେ ନିର୍ବାଚନ ଅଧିକାରୀ ବିଧାୟକଙ୍କ ଘରକୁ ଆଣିଥିଲେ। ସେହି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ଯିଏ ବିରୋଧୀ ଦଳରେ ରହୁଛି ସିଏ ଇଭିଏମ୍‌ ଜାଲିଆତି ନେଇ ଅଭିଯୋଗ ଆଣୁଛନ୍ତି। କିନ୍ତୁ ସରକାର ଏହାକୁ ଅସ୍ବୀକାର କରୁଛନ୍ତି। ନିର୍ବାଚନ କମିସନ ମଧ୍ୟ ଏଭଳି ହେଉନାହିଁ ବୋଲି କହୁଛନ୍ତି। ତେବେ ଚିନ୍ତାର ବିଷୟ ହେଲା ନିକଟରେ ଅନୁଷ୍ଠିତ ନିର୍ବାଚନ ଗୁଡ଼ିକରେ ବହୁ ସଂଖ୍ୟାରେ ଭିଭିପିଏଟି ମେସିନ ଅଚଳ ହେବା। ଏଥିଯୋଗୁ ଲୋକଙ୍କ ମନରେ ଇଭିଏମ ଜାଲିଆତି ସନ୍ଦେହ ବଢ଼ିବାରେ ଲାଗିଛି। ତେଣୁ ଏହି ସନ୍ଦେହକୁ ନିର୍ବାଚନ କମିସନ ଦୂର କରିବା ଉଚିତ ବୋଲି ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସ. ୱାଇ. କ୍ୟୁରେସି ଗତ କିଛିମାସ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ। ତେଣୁ ନିର୍ବାଚନ କମିସନ ତାଙ୍କ ନିଜଆଡ଼ୁ ଲୋକଙ୍କ ସନ୍ଦେହ ଦୂର କରିବା ଲାଗି ସମୟ ଆସିଯାଇଛି ବୋଲି ମତ ପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର