ନୂଆଦିଲ୍ଲୀ: ନିର୍ବାଚନ ସରିିବାର ମାସକ ମଧ୍ୟରେ ପ୍ରାର୍ଥୀମାନଙ୍କୁ ନିିର୍ବାଚନ କମିଶନଙ୍କ ନିକଟରେ ଖର୍ଚ୍ଚର ହିସାବ ଦେବାକୁ ପଡ଼େ । ବିଧାୟକମାନେ ସର୍ବାଧିକ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ରହିଥିବା ବେଳେ ସାଂସଦମାନେ ସର୍ବାଧିକ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ । ନିର୍ବାଚନ କମିଶନଙ୍କ ଦେଇଥିବା ତଥ୍ୟରୁ କିଛି କୌତୁୁହଳପୂର୍ଣ୍ଣ ସୂଚନା ମିଳିଛି । ବିଜେଡି ତାର ବିଧାୟକ ପ୍ରାର୍ଥୀଙ୍କୁ ଖର୍ଚ୍ଚ ଲାଗି ପ୍ରାୟ ୨୦ ଲକ୍ଷ ଟଙ୍କା ଦେଇଥିବା ବେଳେ ବିଜେପି ତାର ବିଧାୟକ ପ୍ରାର୍ଥୀଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କା ଦେଇଛି । ହେଲେ କଂଗ୍ରେସ କିଛି ପ୍ରାର୍ଥୀଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଅନ୍ୟ କିଛିଙ୍କୁ ୨ ଲକ୍ଷ ଟଙ୍କା ଦେଇଥିବା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଝାରସୁଗୁଡ଼ା ବିଧାୟକ ନବ କିଶୋର ନିର୍ବାଚନ କମିଶନଙ୍କୁ ଦେଇଥିବା ତଥ୍ୟ ମୁତାବକ ତାଙ୍କୁ ଦଳରୁ ୨୦ ଲକ୍ଷ ଟଙ୍କା ମିଳିଛି । ତାଙ୍କୁ ବିଭିନ୍ନ ସଂସ୍ଥା ଓ ଲୋକେ ୫ଲକ୍ଷ ଟଙ୍କା ଦେଇଛନ୍ତି । ସେ ନିଜ ହାତରୁ ମାତ୍ର ୬୧ ହଜାର ୫୦୦ ଟଙ୍କା ଖର୍ଚ୍ଚ କରିଛନ୍ତି । ଏମିତି ମୋଟ ତାଙ୍କୁ ୨୫ ଲକ୍ଷ ୬୧ ହଜାର ୫୦୦ ଟଙ୍କା ମିଳିଥିଲା । ମାତ୍ର ନିର୍ବାଚନରେ ସେ କେବଳ ମାତ୍ର ୧୩ ଲକ୍ଷ ୮୮ ହଜାର ୭୯୬ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ୧୩ ଲକ୍ଷ ୮୮ ହଜାର ଟଙ୍କା ଭିତରେ ରହିଛି- ନିର୍ବାଚନ ର୍ୟାଲି ଖର୍ଚ୍ଚ ୧୦ ଲକ୍ଷ ୫ ହଜାର ଟଙ୍କା । ପ୍ରଚାର ପାଇଁ ଗାଡ଼ି ବାବଦରେ ସେ ନିଜେ ଖର୍ଚ୍ଚ କରିଛନ୍ତି ମାତ୍ର ୩୮ ହଜାର ଟଙ୍କା । ଏଜେଣ୍ଟ ଓ କର୍ମୀଙ୍କ ବାବଦରେ ଖର୍ଚ୍ଚ କରିଛନ୍ତି ୧ ଲକ୍ଷ ୪୭ ହଜାର ଟଙ୍କା । ଟେଲିଭିଜନ ଓ ଏସଏମ୍ଏସରେ ପ୍ରଚାର ବାବଦରେ ଖର୍ଚ୍ଚ କରିଛନ୍ତି ମାତ୍ର ୪୯ ହଜାର ଟଙ୍କା । ଏମିତି ଦେଖିଲେ, ନବ ଦାସଙ୍କୁ ମିଳିଥିବା ଟଙ୍କାରୁ ପ୍ରାୟ ୧୨ ଲକ୍ଷ ଟଙ୍କା ବଳିଛି ।
ସେମିତି ଭୁବନେଶ୍ୱର-ମଧ୍ୟରୁ ଲଢ଼ିଥିବା ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କଥା ଦେଖାଯାଇପାରେ । ସେ ବିଜେପିରୁ ୧୫ ଲକ୍ଷ ଟଙ୍କା ପାଇଥିବା ବେଳେ ବିଭିନ୍ନ ସୂତ୍ରରୁ ମୋଟ ୧୬ ଲକ୍ଷ ୧୦ ହଜାର ଟଙ୍କା ପାଇଥିବା ଦର୍ଶାଇଛନ୍ତି । ସେ ଖର୍ଚ୍ଚ କରିଛନ୍ତି- ୧୫ ଲକ୍ଷ ୯୯ ହଜାର ୫୦୦ ଟଙ୍କା ।
ଅନ୍ୟପଟରେ ତାଙ୍କର ପ୍ରତିପକ୍ଷ ବିଜେଡିର ଅନନ୍ତ ଜେନା ଦଳରୁ ୨୦ ଲକ୍ଷ ଟଙ୍କା ପାଇଥିବା ବେଳେ ସେ ହାତରୁ ଖର୍ଚ୍ଚ କରିଛନ୍ତି ୫୦ ହଜାର ଟଙ୍କା। ମାତ୍ର ତାଙ୍କର ଖର୍ଚ୍ଚ ହୋଇଛି- ମାତ୍ର ୧୪ ଲକ୍ଷ ୨ ହଜାର ୩୭୦ ଟଙ୍କା । ଅର୍ଥାତ୍ ପ୍ରାୟ ତାଙ୍କର ୬ ଲକ୍ଷ ଟଙ୍କା ବଳିପଡ଼ିଛି ।
ଭୁବନେଶ୍ୱର ସଂସଦୀୟ ଆସନରେ ବିଜେଡି ତାର ପ୍ରାର୍ଥୀଙ୍କୁ ୫୦ ଲକ୍ଷ ଟଙ୍କା ଦେଇଥିବା ବେଳେ ବିଜେପି ବା ଭାରତୀୟ ଜନତା ପାର୍ଟି ୪୦ ଲକ୍ଷ ଟଙ୍କା ଦେଇଛି । ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ମୋଟ ୪୮ ଲକ୍ଷ ୪ ହଜାର ଟଙ୍କା ପାଇଥିବା ବେଳେ ଖର୍ଚ୍ଚ କରିଛନ୍ତି ୫୭ ଲକ୍ଷ ୩୩ ହଜାର ୪୦୨ ଟଙ୍କା ।
ଅନ୍ୟପଟରେ ତାଙ୍କର ପ୍ରତିପକ୍ଷ ବିଜେଡିର ଅରୂପ ପଟ୍ଟନାୟକ କେବଳ ଦଳରୁ ୫୦ଲକ୍ଷ ଟଙ୍କା ପାଇଥିବା ବେଳେ ତାଙ୍କର ଖର୍ଚ୍ଚ ହୋଇଛି ୫୩ ଲକ୍ଷ ୭୧ ହଜାର ୫୬୦ ଟଙ୍କା । ଭୁବନେଶ୍ୱରର ଏକାମ୍ର ଆସନରେ ଲଢ଼ୁଥିବା କଂଗ୍ରେସର ରଶ୍ମି ମହାପାତ୍ରଙ୍କୁ ଦଳ ୨୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଭୁବନେଶ୍ୱର-ମଧ୍ୟରେ ଲଢ଼ୁଥିବା ରାଜୀବ ପଟ୍ଟନାୟକଙ୍କୁ ୨ ଲକ୍ଷ ଟଙ୍କା ଦେଇଛି ।