ଜଳପାଇଗୁଡ଼ି: ଜଳପାଇଗୁଡ଼ି ଜିଲ୍ଲାରେ ସ୍କୁଟର୍ରୁ ପଡ଼ି ଯାଇଥିବା ଜଣେ ଚାରି ବର୍ଷୀୟ ବାଳିକାକୁ ପଲର ଅନ୍ୟ ହାତୀମାନଙ୍କ ଠାରୁ ରକ୍ଷା କରିବାକୁ ଗୋଟାଏ ହାତୀ ଜଗୁଆଳି ସାଜି ଠିଆ ହୋଇଥିଲା ବୋଲି ଗୁରୁବାର ଦିନ ବନ ଅଧିକାରୀମାନେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟନାଟି ଘଟିଛି ଗରୁମାରା ଜଙ୍ଗଲ ଭିତର ଦେଇ ଯାଇଥିବା ୩୧ ନମ୍ବର ଜାତୀୟରାଜପଥରେ। ବଣ ଭିତରେ ଥିବା ଗୋଟିଏ ମନ୍ଦିରରେ ପୂଜା ସାରି ଗୋଟିଏ ତିନିଜଣିଆ ପରିବାର ଲତାଗୁଡ଼ି ଫେରୁଥିବା ବେଳେ ଏ ଭଳି ପରିସ୍ଥିତି ଉପୁଜିଥିଲା।
ବ୍ୟବସାୟୀ ନିତୁ ଘୋଷ, ତାଙ୍କ ପତ୍ନୀ ଓ ଝିଅ ଆହନା ଘରକୁ ଫେରିବା ବେଳେ ହାତୀପଲ ରାସ୍ତା ପାର ହେଉଥିବା ଦେଖି ସ୍କୁଟର୍ ଅଟକାଇ ଦେଇଥିଲେ।
କିଛି କ୍ଷଣ ପରେ ହାତୀମାନେ ରାସ୍ତାଆରପାରି ବଣକୁ ଚାଲିଗଲେ ଓ ଘୋଷ ସ୍କୁଟର୍ ଚଳାଇ ନିଜ ବାଟରେ ଯିବାକୁ ବାହାରିଲେ।
କିନ୍ତୁ ବଣରେ ରହିଯାଇଥିବା ପଲର ଆଉ କେତୋଟି ହାତୀ ହଠାତ୍ ରାସ୍ତା ଉପରକୁ ଚାଲି ଆସିବାରୁ ଘୋଷଙ୍କ ସ୍କୁଟର୍ ସେମାନଙ୍କ ଉପରେ ଧକ୍କା ଖାଇବାକୁ ଯାଉଥିବା ବେଳେ ସେ ବ୍ରେକ୍ କଷି ଦେଲେ। ଫଳରେ ତିନିହେଁ ସ୍କୁଟର୍ରୁ ତଳେ ପଡ଼ିଗଲେ।
ଏତିକି ବେଳେ ଗୋଟାଏ ହାତୀ ଆଗେଇ ଆସି ନିଜ ଗୋଡ଼ ସନ୍ଧିରେ ଥିବା ଫାଙ୍କରେ ୪ ବର୍ଷୀୟ ଝିଅଟିକୁ ସୁରକ୍ଷା ଦେଲା ବେଳେ ଅନ୍ୟ ହାତୀମାନେ ରାସ୍ତାଆରପାରି ବଣକୁ ଗଡ଼ି ଯାଇଥିଲେ।
ସେମାନେ ବିପଦ୍ରେ ପଡ଼ିଥିବା ଆଶଙ୍କା କରି ସେ ରାସ୍ତାରେ ଟ୍ରକ୍ ନେଇ ଆସୁଥିବା ଜଣେ ଡ୍ରାଇଭର୍ ବାତୁଳ ପ୍ରାୟ ହର୍ଣ୍ଣ ବଜାଇବାରୁ ହାତୀମାନେ ହୁରୁଡ଼ି ଗଲେ।
ଆହାନା ଧାଇଁ ଆସି ମାଆଙ୍କ କୋଳରେ ପଶିଗଲା। ତା’ପରେ ଟ୍ରକ୍ ଡ୍ରାଇଭର ତାଙ୍କୁ ଲତାଗୁଡ଼ିକୁ ନେଇ ଯାଇଥିଲେ। ଖଣ୍ଡିଆଖାବରା ହୋଇଥିବା ଘୋଷ ଏବଂ ତାଙ୍କ ପତ୍ନୀଙ୍କୁ ଜଳପାଇଗୁଡ଼ିର ଏକ ନର୍ସିଙ୍ଗ୍ ହୋମ୍ରେ ଭର୍ତ୍ତି କରାଯାଇଥିଲା। ଝିଅଟିର କିଛି ହୋଇ ନ ଥିଲା। ଖାଲି ସେ ଯାହା ଟିକେ ଛାନିଆ ହୋଇଯାଇଛି।