ପୂର୍ବ-କେନ୍ଦ୍ରୀୟ ଅଞ୍ଚଳର ସର୍ବାଧିକ ହାତୀ ଓଡ଼ିଶାରେ

ନୂଆଦିଲ୍ଲୀ : ପୂର୍ବ କେନ୍ଦ୍ରୀୟ ଅଞ୍ଚଳ (ଇଷ୍ଟ ସେଣ୍ଟ୍ରାଲ ରିଜନ୍‌)ର ସର୍ବାଧିକ ହାତୀ ଓଡ଼ିଶାରେ ରହିଥିବା ଜଣାପଡ଼ିଛି। ୨୦୧୭ରେ ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ରହିଥିବା ମୋଟ ୩,୧୨୮ ହାତୀରୁ ଓଡ଼ିଶାରେ ୧୯୭୬ଟି ରହିଛନ୍ତି। ଆଜି ଲୋକସଭାରେ ସାଂସଦ ଆର ପି.ମାରୁଥାରାଜା ଦେଶରେ ଜଙ୍ଗଲୀ ବନ୍ୟପ୍ରାଣୀଙ୍କ ସଂଖ୍ୟା ସମ୍ପର୍କରେ ପଚାରିଥିବା ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି।

ସେହିପରି ଓଡ଼ିଶା ପଛକୁ ଝାଡ଼ଖଣ୍ଡରେ ୬୭୯ଟି, ଛତିଶଗଡ଼ରେ ୨୪୭ଟି, ବିହାରରେ ୨୫ଟି, ମଧ୍ୟପ୍ରଦେଶରେ ୭ଟି ଏବଂ ପଶ୍ଚିମବଙ୍ଗର ଦକ୍ଷିଣାଞ୍ଚଳରେ ୧୯୪ଟି ହାତୀ ରହିଛନ୍ତି। ଏହା ଛଡ଼ା ଗତ ତିନି ବର୍ଷରେ ଓଡ଼ିଶା ସମେତ ଦେଶର ୧୫ଟି ରାଜ୍ୟରେ ବିଭିନ୍ନ ଅପ୍ରାକୃତିକ କାରଣରୁ ୮୧ଟି ବାଘର ମୃତ୍ୟୁ ହୋଇଛି। ସେହିପରି ଏହି ତିନି ବର୍ଷରେ ଗତ ନଭେମ୍ବର ସୁଦ୍ଧା ମୋଟ ୧୭୬ଟି ହାତୀର ଅପ୍ରାକୃତିକ ମୃତ୍ୟୁ ହୋଇଥିବା ବେଳେ ସେଥିରୁ ଓଡ଼ିଶାରେ ୩୪ଟି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର