ନରସଂହାର ପରେ, ଶ୍ରୀଲଙ୍କାରେ ଜରୁରିକାଳୀନ ପରିସ୍ଥିତି

ବିସ୍ଫୋରଣ ପଛରେ ଆନ୍ତର୍ଜାତିକ ସଂଗଠନ

କଲମ୍ବୋ: ଶ୍ରୀଲଙ୍କାରେ ରବିବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବଢି ୨୯୦ ହୋଇଛି। ରବିବାରର ଏହି ନରସଂହାର ପରେ ସୋମବାର ରାତି ଠାରୁ ଶ୍ରୀଲଙ୍କାରେ ‘ଜରୁରୀକାଳୀନ’ ପରିସ୍ଥିତି ଜାରି କରିବା ପାଇଁ ରାଷ୍ଟ୍ରପତି ନିଷ୍ପତ୍ତି ନେଇଥିବା ପ୍ରକାଶ। ଏହି ବିସ୍ଫୋରଣ ପଛରେ ସ୍ଥାନୀୟ ମୁସଲିମ ଉଗ୍ରପନ୍ଥୀ ସଂଗଠନ ସଂପୃକ୍ତ ଥିବା କୁହାଯାଉଛି। ସଂଗଠନର ୨୪ ଜଣଙ୍କୁ ଗିରଫ କରାଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ସୋମବାର ଦେଶକୁ ଫେରିଆସିଛନ୍ତି। ରବିବାର ଦେଶରେ ଆତ୍ମଘାତୀ ବିସ୍ଫୋରଣ ଘଟିଲା ବେଳେ ସେ ଭାରତ ଏବଂ ସିଙ୍ଗାପୁର ଗସ୍ତରେ ଥିଲେ। ଦେଶକୁ ଫେରିବା ପରେ ରାଷ୍ଟ୍ରପତି ସୋମବାର ଜାତୀୟ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକରେ ଯୋଗ ଦେବାପରେ ଦେଶରେ ସୋମବାର ରାତି ଠାରୁ ଜରୁରୀକାଳୀନ ପରିସ୍ଥିତି ଜାରି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ରାଷ୍ଟ୍ରପତିଙ୍କ ମିଡ଼ିଆ ସେଲ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଜରୁରିକାଳୀନ ସ୍ଥିତି ଆତଙ୍କବାଦକୁ ପ୍ରତିହତ କରିବା ପାଇଁ ଲାଗୁ କରାଯିବ। ଏହି ସମୟରେ ପୋଲିସ ଓ ସେନାକୁ ଅଖଣ୍ଡ କ୍ଷମତା ମିଳେ। ସେମାନେ ଯାହାକୁ ଚାହିବେ ଅଟକ ରଖିପାରିବେ କିମ୍ବା ଗିରଫ କରିପାରିବେ। ଏଥିପାଇଁ‌ କୋର୍ଟରୁ ଅନୁମତି ଦରକାର ପଡ଼ିବ ନାହିଁ। ଗିରଫ ବ୍ୟକ୍ତିମା‌େନ ମଧ୍ୟ କୋର୍ଟକୁ ଯାଇପାରିବେ ନାହିଁ। ଏନେଇ ଗେଜେଟ୍‌ ପ୍ରକାଶ କରିବା ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଏହି ଜରୁରୀକାଳୀନ ସ୍ଥିତି ବେଳେ ଦେଶର ସାଧାରଣ ନାଗରିକଙ୍କ ମୁକ୍ତବିଚାରର ସ୍ବାଧୀନତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ଦିଆଯାଇଛି। କ୍ରମାଗତ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ବଢୁଥିବା ବେଳେ ଏହାକୁ ନେଇ ଦେଶରେ ଉତ୍ତେଜନା ପ୍ରକାଶ ପାଉଥିବାରୁ ରାତିରେ କର୍ଫ୍ୟୁ ଜାରି କରାଯାଇଛି। ରାତି ୮ଟା ଠାରୁ ସକାଳ ୪ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସରକାରଙ୍କ ସୂଚନା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗତକାଲିର ବିସ୍ଫୋରଣରେ ୭ ଜଣ ଆତ୍ମଘାତୀ ମ‌ାନବ ବୋମାଙ୍କୁ ବ୍ୟବହାର କରାଯାଇଥିଲା। ସେମାନେ ସମସ୍ତେ ଶ୍ରୀଲଙ୍କାର ନାଗରିକ ବୋଲି ଜଣାପଡ଼ିଛି। ଯେଉଁ ଘରେ ସେମାନଙ୍କୁ ତାଲିମ ଦିଆଯାଉଥିଲା ତାହାକୁ ସିଲ୍ କରାଯାଇଛି। ଦେଶର ୨୫ ବର୍ଷ ଧରି ଗୃହଯୁଦ୍ଧ ଚଳାଇଥିବା ତାମିଲ ଉଗ୍ରପନ୍ଥୀ ସଂଗଠନ ଏଲଟିଟିଇ ୨୦୦୯ରେ ମୂଳପୋଛ ହେବାପରେ ଗତକାଲିର ବିସ୍ଫୋରଣ ହେଉଛି ସବୁଠାରୁ ବଡ଼ ଆକ୍ରମଣ। ଖୁବ କମ୍ ଜଣାଶୁଣା ଏନଟିଜେ ଭଳି ଏକ ସଂଗଠନ କିପରି ଏତେ ବଡ଼ ଆକ୍ରମଣ କରିପାରିଲା ତାହା ନିରାପତ୍ତା ଏଜେନ୍ସିକୁ ଚକିତ କରିଛି। ନିଶ୍ଚିତ ଏହା ପଛରେ କୌଣସି ଆନ୍ତର୍ଜାତିକ ଆତଙ୍କବାଦୀ ସଂଗଠନ ଅଲକାଏଦା କିମ୍ବା ଆଇଏସଆଇଏସର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏସଂପର୍କରେ ତଦନ୍ତ ଲାଗି ସରକାର ଆଜି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସୁପ୍ରିମ କୋର୍ଟ ଜଜ୍‌ ଭିଜିଥ୍‌ ମାଲଗୋଡା, ପୂର୍ବତନ ପୋଲିସ ଆଇଜି ଏନ୍‌କେ ଇଲାଙ୍ଗକୁନ ଏବଂ ଆଇନ ଶୃଙ୍ଖଳା ମନ୍ତ୍ରାଳୟର ପୂର୍ବତନ ସଚିବ ପଦମସିରି ଜୟମାନ୍ନେଙ୍କୁ ନେଇ ଏହି କମିଟି ଗଠିତ ହୋଇଛି। ଉକ୍ତ ଉଚ୍ଚସ୍ଥରୀୟ ତଦନ୍ତ କମିଟିକୁ ଦୁଇ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

ଏତେ ବଡ଼ ଆତ୍ମଘାତୀ ବିସ୍ଫୋରଣ ଏକ ସ୍ଥାନୀୟ କଠୋରପନ୍ଥୀ ସଂଗଠନ ବିନା କୌଣସି ଅନ୍ତର୍ଜାତୀୟ ସମଥର୍ନରେ କରିପାରିବ ନହିଁ ବୋଲି ଅନୁମାନ କରାଯାଉଥିବାରୁ ଏହି ଉଚ୍ଚ ସ୍ଥରୀୟ ତଦନ୍ତ କମିଟି ଗଠନ କରାଯାଇଛି। ଏହି ତଦନ୍ତ ବେଳେ ଉକ୍ତ ଆତଙ୍କବାଦୀ ସଂଗଠନ ସହ ଅନ୍ତର୍ଜାତୀୟ ସମ୍ପୃକ୍ତିକୁ ଚିହ୍ନଟ କରିବା ପାଇଁ ବିଦେଶୀ ସହାୟତା ନିଆଯିବ ବୋଲି ସିରିସେନା ସୂଚନା ଦେଇଛନ୍ତି। ଶ୍ରୀଲଭ୍କାରେ ୨୫ ବର୍ଷର ଗୃହଯୁଦ୍ଧରେ ୭୦ ହଜାରରୁ ୮୦ ହଜାର ଲୋକ ପ୍ରାଣ ହରାଇଥିଲେ। ଆତ୍ମଘାତୀ ବିସ୍ଫୋରଣ ପରେ ଶ୍ରୀଲଙ୍କା ପୋଲିସ ଏବଂ ନିରାପତ୍ତା ବାହିନୀ ତରଫରୁ ସର୍ଚ୍ଚ ଅଭିଯାନ ଜାରି ରହିଛି। ଆଜି ଏହି ଅଭିଯାନ ବେଳେ ଶ୍ରୀଲଙ୍କା ପୋଲିସର ଏସ୍‌ଟିଏଫ୍‌ କଲମ୍ବୋ ବସ୍‌ ଷ୍ଟାଣ୍ଡରୁ ୮୭ ଟି ଡେ‌େଟାନେଟର୍‌ ଉଦ୍ଧାର କରିଛି। ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପୁଣି ଏକ ବିସ୍ଫୋରଣ ଘଟିଥିଲେ ମଧ୍ୟ ଏଥିରେ କେହି ମୃତାହତ ହୋଇନଥିବା ପ୍ରକାଶ। କଲମ୍ବୋ ବସ୍‌ ଷ୍ଟାଣ୍ଡରୁ ଉକ୍ତ ବିସ୍ଫୋରକ ଉଦ୍ଧାର କରାଯାଇ ଏହାକୁ ନିଷ୍କ୍ରିୟ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। କଟାହେନା ନାମକ ସ୍ଥାନରେ ଏକ ସନ୍ଦିଗ୍ଧ ଗାଡ଼ିରେ ଉକ୍ତ ବିସ୍ଫୋରକ ଥିଲା। ଆଜି କଲମ୍ବେ‌‌ା ବିମ‌ାନ ବନ୍ଦର ନିକଟରୁ ଏକ ଅଫୁଟା ପାଇପ୍ ବୋମା ଉଦ୍ଧାର କରାଯାଇଛି। ଇତିମଧ୍ୟରେ ଶ୍ରୀଲଙ୍କା ନିରାପତ୍ତା ବାହିନୀ ଦେଶସାରା ସର୍ଚ୍ଚ ଅଭିଯାନ ଜାରି ରଖିଛନ୍ତି।

ମୃତ୍ୟୁସଂଖ୍ୟା ୨୯୦କୁ ବୃଦ୍ଧି
୮୭ ଡେ‌େଟାନେଟର୍‌ ଉଦ୍ଧାର
୭ ମାନବ ବୋମା ସଂପୃକ୍ତ

କଲମ୍ବୋ: ଗତତକାଲି ଶ୍ରୀଲଙ୍କାରେ ହୋଇଥିବା ଆତ୍ମଘାତୀ ସିରିଜ୍‌ ବିସ୍ଫୋରଣ ପଛରେ ସ୍ଥାନୀୟ ସଂଖ୍ୟାଲଘୁ କଠୋରପନ୍ଥୀ ସଂଗଠନର ସମ୍ପୃକ୍ତି ରହିଛି। ଶ୍ରୀଲଙ୍କା ସରକାରଙ୍କ ମୁୁଖପାତ୍ର ତଥା କ୍ୟାବିନେଟ ମନ୍ତ୍ରୀ ରାଜିଥା ସେନାରତ୍‌ନେ ଏହି ସୂଚନା ଦେବା ସହ ଉକ୍ତ ସଂଖ୍ୟାଲଘୁ ସଂଗଠନ ନେସ୍‌ନାଲ ଥୋହିଥ୍‌ ଯମାଥ (ଏନ୍‌ଟିଜେ) ପଛରେ ଆନ୍ତର୍ଜାତିକ ସମର୍ଥନ ରହିଛି। ତେବେ ଏହାକୁ ସମର୍ଥନ କରୁଥିବା ସେହି ଆନ୍ତର୍ଜାତିକ ସଂଗଠନ ଟି କିଏ ତାହାର ଯାଞ୍ଚ କରାଯାଉଛି। ନେସ୍‌ନାଲ ଥୋହିଥ୍‌ ଯମାଥ ବିଷୟରେ ଅଧିକ କିଛି ତଥ୍ୟ ଜଣାନଥିବା କୁଆଯାଇଛି। ତେବେ ଗତବର୍ଷ ଏହି କଠୋରପନ୍ଥୀ ସଂଗଠନ ଶ୍ରୀଲଙ୍କାରେ ବୌଦ୍ଧମୂର୍ତ୍ତି ଭଙ୍ଗାରୁଜା ଘଟଣା ପରେ ସାମ୍‌ନାକୁ ଆସିଥିଲା। ଇତିମଧ୍ୟରେ ନରସଂହାରରେ ସମ୍ପୃକ୍ତି ଥିବା ସନ୍ଦେହରେ ୨୪ ଜଣକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ସମସ୍ତେ ସଂଖ୍ୟାଲଘୁ କଠୋରପନ୍ଥୀ ସଂଗଠନର ସଦସ୍ୟ ବୋଲି ସୂଚନା ଦିଆଯାଇଛି। ତେବେ କେଉଁ ନିର୍ଦିଷ୍ଟ ସଂଗଠନ ସହ ଏହି ୨୪ ଜଣଙ୍କ ସମ୍ପୃକ୍ତି ରହିଛି ତାହା ସ୍ପଷ୍ଟ କରାଯାଇନାହିଁ।

ସୂଚନାଥାଉକି, ରବିବାର ବିସ୍ଫୋରଣର ୧୦ ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ ୧୧ରେ ଶ୍ରୀଲଙ୍କା ପୋଲିସ ମୁଖ୍ୟ ପୂଜୁଥ ଜୟସୁନ୍ଦର ସତର୍କ ସୂଚନା ଜାରି କରିଥିଲେ। ଦେଶର ବିଭିନ୍ନ ନିରାପତ୍ତା ସଂସ୍ଥାକୁ ଜଣାଇଦିଆଯାଇଥିଲା, ନେସ୍‌ନାଲ ଥୋହିଥ୍‌ ଯମାଥ ନାମକ କଠୋରପନ୍ଥୀ ସଂଗଠନ ଶ୍ରୀଲଙ୍କାରେ ଥିବା ବିଭିନ୍ନ ଗିର୍ଜା ଏବଂ ଭାରତୀୟ ଦୂତାବାସରେ ଆତ୍ମଘାତୀ ଆକ୍ରମଣ କରିପାରନ୍ତି। ଏକ ଅନ୍ତର୍ଜାତୀୟ ଗୁଇନ୍ଦା ସୂଚନାକୁ ଆଧାର କରି ଶ୍ରୀଲଙ୍କା ପୋଲିସ ମୁଖ୍ୟ ଉକ୍ତ ସତର୍କ ସୂଚନା ଜାରିକରିଥିଲେ। ତେବେ ଏଭଳି ସତର୍କ ସୂଚନା ଆଗରୁ ଜାରି କରାଯାଇଥିଲେ ମଧ୍ୟ ଏହି ସୂଚନା ସରକାରଙ୍କ ପାଖରେ କାହିଁକି ପହଞ୍ଚିନଥିଲା ତାହାର ଅନୁସନ୍ଧାନ କରାଯାଉଥିବା ଜଣାପଡିଛି। ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ବିକ୍ରମାସିଙ୍ଗେ ଉକ୍ତ ଗୁଇନ୍ଦା ସୂଚନାକୁ ବିସ୍ଫୋରଣ ପରେ ଗୁରୁତ୍ବର ସହ ନେଇଛନ୍ତି। ସତର୍କ ସୂଚନା ସତ୍ତ୍ବେ ଏହାରି ଉପରେ କାହିଁକି ଉଚିତ ପଦକ୍ଷେପ ନିଆଯାଇନଥିଲା ତାହାକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଶ୍ରୀଲଙ୍କାରେ ସୋସିଆଲ ମିଡ଼ିଆ ନିଷିଦ୍ଧ
ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ସୋସିଆଲ ମିଡ଼ିଆର ସେବାଗୁଡିକୁ ନିଷିଦ୍ଧ କରାଯାଇଛି। ଭୁଲ ତଥ୍ୟ, ଘୃଣା ମନ୍ତବ୍ୟ ଏବଂ ହିଂସାକୁ ନିୟନ୍ତ୍ରଣରେ ରଖିବାକୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି। ତେବେ ଏହାକୁ ଏକ ଅସ୍ଥାୟୀ ପଦକ୍ଷେପ ବୋଲି କହିଛନ୍ତି ରାଷ୍ଟ୍ରପତିଙ୍କ ସଚିବ ଉଦୟ ଆର୍‌ ସେନେଭୀରତ୍‌ନେ। ନିଷିଦ୍ଧ ଘୋଷଣା ପରେ ସୋସିଆଲ ମିଡ଼ିଆର ବିଭିନ୍ନ ସେବା ଯଥା ଫେସ୍‌ବୁକ, ଫେସ୍‌ବୁକ ମେସେଞ୍ଜର୍‌, ଇନ୍ସ୍‌ଟାଗ୍ରାମ ଏବଂ ୱାଟ୍‌ସଆପ୍‌କୁ ନିଷିଦ୍ଧ କରାଯିବାପରେ ଏହା ସହ ସମ୍ପୃକ୍ତ ଅନ୍ୟ ଆପ୍‌ଗୁଡିକୁ ମଧ୍ୟ ଲୋକେ ବ୍ୟବହାର କରିପାରିବେ ନାହିଁ। ସ୍ମରଣଯୋଗ୍ୟ, ଏହା ପୂର୍ବରୁ ସୋସିଆଲ ମିଡିଆ ଯୋଗୁଁ ଶ୍ରୀଲଙ୍କାରେ ଦଙ୍ଗା ସଂଘଟିତ ହୋଇଥିଲା।

ସମ୍ବନ୍ଧିତ ଖବର