ପରଲୋକରେ ପ୍ରଖ୍ୟାତ ଆଇନଜୀବୀ ରାମ ଜେଠାମଲାନୀ

ନୂଆଦିଲ୍ଲୀ: ରବିବାର ଦିନ ୯୫ ବର୍ଷ ବୟସରେ ଖ୍ୟାତନାମା ଓକିଲ ରାମ ଜେଠାମଲାନୀଙ୍କର ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେବ କ୍ରମଶଃ ଅବନତି ଘଟୁଥିଲା ଏବଂ ଆଜି ପ୍ରତ୍ୟୁଷରେ ତାଙ୍କର ଦେହାନ୍ତ ହୋଇଗଲା।

ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତାଙ୍କ ପୁଅ ହେଉଛନ୍ତି ମହେଶ ଜେଠାମଲାନୀ। ତାଙ୍କ ଝିଅ ଆମେରିକାରେ ବାସ କରନ୍ତି।
୧୯୨୩ ମସିହା ସେପ୍ଟେମ୍ବର ୧୪ ତାରିଖରେ ସିନ୍ଧ ପ୍ରଦେଶରେ ଜନ୍ମିତ ରାଜ ଜେଠାମଲାନୀ ସୁପ୍ରିମ୍‌ କୋର୍ଟ, ହାଇକୋର୍ଟ ଏବଂ ନିମ୍ନ ଅଦାଲତମାନଙ୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ମକଦମା ଲଢ଼ିଥିଲେ। ସେ ଲଢ଼ିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକ ମଧ୍ୟରେ କେଏମ୍‌ ନାନାବତୀ ବନାମ ମହାରାଷ୍ଟ୍ର ରାଜ୍ୟ ସ୍ମରଣଯୋଗ୍ୟ। ସେ ଏଥିରେ ପ୍ରୋଜେକ୍ୟୁଟର୍‌ ଥିଲେ।

୨୦୧୦ ମସିହାରେ ସେ ସୁପ୍ରିମ୍‌ କୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ଏହାଛଡ଼ା ସେ ଷଷ୍ଠ ଏବଂ ସପ୍ତମ ଲୋକସଭାରେ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କେନ୍ଦ୍ର ଆଇନ ମନ୍ତ୍ରୀ ହେବା ବ୍ୟତୀତ ସେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଥିଲେ।

ସମ୍ବନ୍ଧିତ ଖବର