୨୦୧୪ ଭୁଲିଯାଅ, ୨୦୧୯ କଥା ଚିନ୍ତା କର

ନୂଆଦିଲ୍ଲୀ: ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ଏବଂ ୨୦୨୦ ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ସହ ଆଗୁଆ ଆସନ ବୁଝାମଣା ଚୂଡ଼ାନ୍ତ କରିବାକୁ ଜେଡିୟୁ ଚାହୁଛି। ଏନ୍‌୍‌ଡିଏର ନେତୃତ୍ୱ ନେଉଥିବା ବିଜେପି ଏହାର ଅଂଶଦାର ଦଳମାନଙ୍କ ସହ ଆସନ ବଣ୍ଟନ ନେଇ ଆଗୁଆ ଚୁକ୍ତି ସଂପାଦନ କରିବାକୁ ଜେଡିୟୁ ଗୁରୁତ୍ୱାରୋପ କରିଛି। ତେବେ ବିଜେପି ପକ୍ଷରୁ ଆସନ ବୁଝାମଣା ନେଇ କୌଣସି ସଙ୍କେତ ଦିଆଯାଇ ନାହିଁ। ସାଂପ୍ରତିକ ରାଜନୈତିକ ସ୍ଥିତି ଏବଂ ବାସ୍ତବତାକୁ ଦେଖି ଏନ୍‌୍‌ଡିଏର ଅଂଶୀଦାର ଦଳମାନଙ୍କ ମଧ୍ୟରେ ଆଲୋଚନା ହୋଇ ଆସନ ବଣ୍ଟନ ହେବା ଉଚିତ ବୋଲି ଜେଡିୟୁ ନେତାମାନେ କହିଛନ୍ତି। ୨୦୧୪ରେ ବିଜେପି ପାଇଁ ଯେଉଁ ସ୍ଥିତି ଥିଲା ତାହା ଏବେ ବଦଳି ଯାଇଛି ଏବଂ ୨୦୧୯ରେ ଏକ ଭିନ୍ନ ପରିସ୍ଥିତିରେ ନିର୍ବାଚନ ଅନୁଷ୍ଠିତ ହେବ। ଜନମତ ଏବଂ ଏନ୍‌ଡିଏ ଅଂଶଦାର ଦଳମାନଙ୍କ ସ୍ଥିତିକୁ ଦେଖି ଆସନ ବୁଝାମଣା ହେଲେ ହିଁ ଭଲ ପରିଣାମ ମିଳିବ ବୋଲି ଜେଡିୟୁ ବିଜେପିକୁ ଚେତାଇ ଦେଇଛି। ବିହାରରେ ୨୦୧୪ ନିର୍ବାଚନରେ ୪୦ ଲୋକସଭା ଆସନରୁ ଏନ୍‌୍‌ଡିଏ ୩୧ ଆସନ ପାଇଥିଲା। ଏଥିରୁ କେବଳ ବିଜେପି ୨୨ଟି ଆସନ ଦଖଲ କରିଥିଲା। ତେବେ ବର୍ତ୍ତମାନର ସ୍ଥିତିରେ ଏହାର ପୁନରାବୃତ୍ତି କଦାପି ହୋଇପାରିବ ନାହିଁ ବୋଲି ଜେଡିୟୁ କହିଛି। ସେତେବେଳେ ଜେଡିୟୁ ମାତ୍ର ୨ଟି ଆସନ ପାଇଥିଲା ଏବଂ ବର୍ତ୍ତମାନର ସ୍ଥିତିରେ ଆମେ ୨ଟି ଆସନରେ ଲଢ଼ିବା ସମ୍ଭବ ନୁହେଁ ବୋଲି ଜେଡିୟୁ ନେତାମାନେ ସ୍ପଷ୍ଟ କରିଛନ୍ତି।

୨୦୧୫ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ୭୧ଟି ଆସନ ହାସଲ କରିଥିବା ବେଳେ ବିଜେପିକୁ ୫୩ ଆସନ ମିଳିଥିଲା। ରାମ ବିଳାସ ପାଶ୍ୱାନଙ୍କ ଏଲ୍‌୍‌ଜେପିର ଲୋକସଭାରେ ୬ ଜଣ ସଦସ୍ୟ ଥିବା ବେଳେ ବିଧାନସଭାରେ ମାତ୍ର ୨ ଜଣ ସଦସ୍ୟ ଅଛନ୍ତି। ଉପେନ୍ଦ୍ର କୁଶଓ୍ଵାହଙ୍କ ଆର୍‌ଏଲ୍‌ଏସ୍‌ପି ୩ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ବିଧାନସଭାରେ ଏହାର ମାତ୍ର ୨ ଜଣ ସଦସ୍ୟ ଅଛନ୍ତି। ଏବେ ରାଜ୍ୟ ରାଜନୀତିରେ ନୂଆ ମୋଡ଼ ଆସିଛି ଏବଂ ବାସ୍ତବତାକୁ ଦେଖି ଏନ୍‌ଡିଏର ସହଯୋଗୀ ଦଳମାନଙ୍କ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହେବା ଆବଶ୍ୟକ ବୋଲି ଜେଡିୟୁ କହିଛି । ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାପାଇଁ ଏବେ ଜେଡିୟୁ ଦାବି କରୁଥିବାରୁ ଏହାକୁ କେନ୍ଦ୍ର କରି ରାଜ୍ୟରେ ମେଣ୍ଟର ଭାଗ୍ୟ ନିର୍ଦ୍ଧାରଣ ହେବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର