ପୁଲୱାମାରେ ଏନ୍‌କାଉଣ୍ଟର: ହିଜ୍‌ବୁଲ କମାଣ୍ଡର ସମେତ ୩ ଆତଙ୍କବାଦୀ ନିପାତ

ତ୍ରାଲ: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ତ୍ରାଲ ଅଂଚଳରେ ଆଜି ସକାଳେ ହୋଇଥିବା ଏକ ଏନ୍‌କାଉଣ୍ଟରରେ ହିଜ୍‌ବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ ସ୍ଥାନୀୟ କମାଣ୍ଡର ସମେତ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ହିଜ୍‌ବୁଲର ଏହି ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ପାଇଁ ବଡ଼ ଯୋଜନା କରିଥିଲେ। ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି। ନିହତ ଆତଙ୍କବାଦୀମାନେ ହେଲେ ଉମର ଫୟାଜ ଲୋନ୍‌, ଆଦିଲ ବସିର୍‌ ଏବଂ ଫୈଜାନ ମହମ୍ମଦ। ଗୁଇନ୍ଦା ସୂତ୍ରରୁ ଆତଙ୍କବାଦୀଙ୍କ ଆଡ୍ଡା ସଂପର୍କରେ ଖବର ମିଳିବା ମାତ୍ରେ ସୁରକ୍ଷା ବାହିନୀ ସମଗ୍ର ଅଂଚଳକୁ ଘେରିଯାଇ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଆତଙ୍କବାଦୀମାନେ ଗୁଳି ବର୍ଷ କରି ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିପାରି ନଥିଲେ। ଆଜି ସକାଳୁ ଆରମ୍ଭ ହୋଇଥିବା ଏନ୍‌କାଉଣ୍ଟର ଅପରାହ୍ନ ୨ଟା ବେଳେ ‌ସରିଥିଲା ଏବଂ ସମସ୍ତ ଆତଙ୍କବାଦୀ ନିପାତ ହୋଇଥିବା ଘୋଷଣା କରାଯାଇଛି । ଏହି ଅଂଚଳରେ ଅଧିକ ଆତଙ୍କବାଦୀ ଲୁଚିଥିବା ସନ୍ଦେହ କରାଯାଉଥିବାରୁ ବଡ଼ ଧରଣର କମ୍ବିଂ ଅପେରସନ୍‌ ମଧ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର