ଇପିଏସ୍‌-ଓପିଏସ୍‌ ଗୋଷ୍ଠୀକୁ ମିଳିଲା ଯୋଡ଼ିପତ୍ର ଚିହ୍ନ

ନୂଆଦିଲ୍ଲୀ: ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପରଲୋକ ପରେ ଏଆଇଏଡିଏମ୍‌ରେ ଚାଲିଥିବା ବଡ଼ ଧରଣର ବିବାଦ ଏବେ ଶାନ୍ତ ପଡ଼ିବା ସ୍ଥିତିକୁ ଆସିଛି। ଆଜି ନିର୍ବାଚନ କମିସନ ମୁଖ୍ୟମନ୍ତ୍ରୀ ଇ. ପଲାନି ସ୍ୱାମୀ ଏବଂ ଉପମୁଖ୍ୟମନ୍ତ୍ରୀ ଓ ପନିର୍‌ସେଲଭମ ଗୋଷ୍ଠୀକୁ ଦଳରୁ ଯୋଡ଼ିପତ୍ର ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି। ଦଳର ବିଧାୟକ ଏବଂ ସାଧାରଣ ପରିଷଦର ବିପୁଳ ସମର୍ଥନ ରହିଥିବାରୁ ଏହି ଏହି ଗୋଷ୍ଠୀକୁ ପ୍ରକୃତ ଏଆଇଏଡିଏମ୍‌କେର ମାନ୍ୟତା ଦେଇ ଦୁଇ ପତ୍ର ଚିହ୍ନ ପ୍ରଦାନ କରାଯାଇଥିବା ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ଭବିଷ୍ୟତର ସମସ୍ତ ନିର୍ବାଚନରେ ଓପିଏସ୍‌-ଇପିଏସ୍‌ ଗୋଷ୍ଠୀ ଏହି ଚିହ୍ନ ବ୍ୟବହାର କରିପାରିବେ। ଇପିଏସ୍‌-ଓପିଏସ୍‌ ଗୋଷ୍ଠୀକୁ ପ୍ରକୃତ ଏଆଇଏଡିଏମ୍‌କେର ମାନ୍ୟତା ଦେବା ଏବଂ ଦଳର ନିର୍ବାଚନୀ ଚିହ୍ନକୁ କାଏମ ରଖିବା ପାଇଁ ୩୪ ସାଂସଦ, ୮ ରାଜ୍ୟସଭା ସାଂସଦ, ୧୧୧ ବିଧାୟକଙ୍କ ସମର୍ଥନ ସମ୍ବଳିତ ପତ୍ର ନିର୍ବାଚନ କମିସନଙ୍କୁ ପ୍ରଦାନ କରାଯାଇଥିଲା। ଯାଞ୍ଚ ପରେ କମିସନ ଇପିଏସ୍‌-ଓପିଏସ ଗୋଷ୍ଠୀକୁ ପ୍ରକୃତ ଏଆଇଏଡିଏମ୍‌କେ ଭାବେ ଘୋଷଣା କରିଛନ୍ତି। ତେବେ ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତିକୁ ଟିଟିଭି ଦୀନାକରନ ଗୋଷ୍ଠୀ ବିରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ଚାପରେ ନିର୍ବାଚନ କମିସନ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଦୀନାକରନ ଗୁରୁତର ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର