ଘଟଣାକ୍ରମ

୧୫ ଅଗଷ୍ଟ ୨୦୧୩: ଆତ୍ମଘୋଷିତ ବାବା ଆଶାରାମ୍‌ ବାପୁ ତାଙ୍କର ଜଣେ ଭକ୍ତଙ୍କର ନାବାଳିକା ଝିଅକୁ ଯୋଧପୁର ସ୍ଥିତ ମନାଇ ଗ୍ରାମକୁ ଆଣିଥିଲେ। ଭୂତ ଛଡ଼ାଇବା ବାହାନାରେ ଆଶାରାମ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।
୨୦ ଅଗଷ୍ଟ ୨୦୧୩: ଏହି ମାମଲାରେ ପୀଡ଼ିତା ପରିବାର ଦିଲ୍ଲୀ ପୁଲିସରେ ଅଭିଯୋଗ ଦାଏର କରିଥିଲେ।
୩୧ ଅଗଷ୍ଟ ୨୦୧୩: ଆଶାରାମ୍‌୍‌ ବାପୁ ଇନ୍ଦୋର୍‌ରୁ ଗିରଫ ହେଲେ ଏବଂ ଏହାପରେ ତାଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ।
୧ ସେପ୍ଟେମ୍ବର ୨୦୧୩: ପୁଲିସ ଗିରଫ କରିବାପରେ ଆଶାରାମ୍‌ ବାପୁଙ୍କୁ ଜେରା କରିଥିଲା। ଏସ୍‌ଏନ୍‌ ମେଡିକାଲ୍‌ କଲେଜ୍‌ରେ ପୋଟେନ୍‌୍‌ସି ଟେଷ୍ଟ୍‍ କରାଯାଇଥିଲା, ଯେଉଁଥିରୁ ଜଣାପଡ଼ିଥିଲା ଯେ ସେ ଯୌନକ୍ରିୟା କରିବାକୁ ସକ୍ଷମ।
୨ ସେପ୍ଟେମ୍ବର ୨୦୧୩: ଆଶାରାମଙ୍କୁ ନ୍ୟାୟିକ ହାଜତକୁ ପଠାଗଲା
ନଭେମ୍ବର ୬, ୨୦୧୩: ଯୋଧପୁର ପୁଲିସ ଆଶାରାମ୍‌ ଏବଂ ଅନ୍ୟ ୪ ଅଭିଯୁକ୍ତ ସଞ୍ଚିତା ଓରଫ ଶିଳ୍ପୀ, ଶରତ ଚନ୍ଦ୍ର, ପ୍ରକାଶ ଏବଂ ଶିବ ଓରଫ ସବାରାମ ହେତବାଦିୟାଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା। ଆଇପିସିର ଧାରା ୩୪୨, ୩୭୬, ୫୦୬ ଏବଂ ୫୦୯ ଏବଂ ପୋକ୍ସୋ ଆଇନର ଧାରା ୮ରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା।
୭ ଫେବ୍ରୁଆରି ୨୦୧୪: ଦୁଷ୍କର୍ମ ଏବଂ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଯୋଧପୁର କୋର୍ଟ ଆଶାରାମ୍‌ଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କଲେ।
୨୩ ମେ’ ୨୦୧୪: ଆଶାରାମ୍‌ଙ୍କ ବ୍ୟକ୍ତିଗତ ସହଯୋଗୀ ଅମୃତ ପ୍ରଜାପତି ତଥା ମାମଲାରେ ପ୍ରମୁଖ ସାକ୍ଷୀଙ୍କୁ ଗୁଳି କରାଯାଇଥିଲା। ଜୁନ୍‌ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା।
୧୩ ଫେବ୍ରୁଆରି ୨୦୧୫: ଦୁଷ୍କର୍ମ ମାମଲାରେ ଅନ୍ୟଜଣେ ସାକ୍ଷୀ ରାହୁଲ ସଚନଙ୍କୁ ଯୋଧପୁର କୋର୍ଟ ପରିସରରେ ଛୁରି ମାଡ଼ କରାଯାଇଥିଲା। ଏହାପରେ ଲକ୍ଷ୍ନୌର କୈସରବଗ୍‌ ବସ୍‌ ଷ୍ଟାଣ୍ଡ୍‌ରୁ ସେ ନିଖୋଜ ହୋଇଯାଇଥିଲେ।
୧୪ ମେ’ ୨୦୧୫: ସାକ୍ଷୀ ମହେନ୍ଦ୍ର ଚାଓ୍ଵଲା ଯିଏ ୨୦୦୧ରୁ ୨୦୦୫ ମସିହା ମଧ୍ୟରେ ଆଶାରାମ୍‌ଙ୍କ ବ୍ୟକ୍ତିଗତ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ ତାଙ୍କୁ ପାନିପତ୍‌ ସ୍ଥିତ ତାଙ୍କ ଗୃହରେ ଗୁଳି କରି ହତ୍ୟା କରାଯାଇଥିଲା।
୧୦ ଜୁନ୍‌ ୨୦୧୫: ଆଶାରାମ୍‌ଙ୍କ ବିରୋଧରେ ସାକ୍ଷୀ ରହିଥିବା କ୍ରିପାଲ ସିଂହଙ୍କୁ ଶାହଜାହାନପୁରରେ ଗୁଳି କରି ହତ୍ୟା କରାଯାଇଥିଲା।
୨୨ ଜୁନ୍‌ ୨୦୧୬: ଆଶାରାମ୍‌ ବାପୁଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଚାରିଟେବଲ୍‌ ଟ୍ରଷ୍ଟ୍‍ର ଆୟକର ବିଭାଗ ତଦନ୍ତରୁ ଜଣାପଡ଼ିଥିଲା ଯେ ୨୦୦୮-୦୯ ମଧ୍ୟରେ ଆଶାରାମ୍‌ଙ୍କ ଅଘୋଷିତ ଆୟ ୨୩୦୦ କୋଟି ଟଙ୍କା ଥିଲା।
ଅଗଷ୍ଟ ୪, ୨୦୧୬: ଯୋଧପୁର ଜେଲ୍‌ ପରିସରକୁ ବିଚାରପ୍ରକ୍ରିୟା ସ୍ଥାନାନ୍ତର କରିବାପାଇଁ ପୁଲିସ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲା।
୭ ଏପ୍ରିଲ ୨୦୧୮: ସ୍ୱତନ୍ତ୍ର ବିଚାରପତି ମଧୁସୂଦନ ଶର୍ମାଙ୍କ ଅଦାଲତରେ ଏହି ମାମଲାର ଶେଷ ଶୁଣାଣି ହୋଇଥିଲା। କୋର୍ଟ ରାୟ ଘୋଷଣା ପାଇଁ ଏପ୍ରିଲ ୨୫ ତାରିଖକୁ ଧାର୍ଯ୍ୟ କରିଥିଲେ।
୧୭ ଏପ୍ରିଲ ୨୦୧୮: ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରୁ ହିଁ ରାୟ ଶୁଣାଣି ପାଇଁ ରାଜସ୍ଥାନ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୨୫ ଏପ୍ରିଲ ୨୦୧୮: ୭୭ ବର୍ଷୀୟ ଧର୍ମଗୁରୁ ଆଶାରାମ୍‌ ବାପୁ ଆଜି ସ୍ୱତନ୍ତ୍ର ଅଦାଲତରେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ। ଯୋଧପୁର ସେଣ୍ଟ୍ରାଲ ଜେଲ୍‌ର ଅସ୍ଥାୟୀ ଅଦାଲତରେ ସ୍ୱତନ୍ତ୍ର ବିଚାରପତି ମଧୁସୂଦନ ଶର୍ମାଙ୍କ ଦ୍ୱାରା ଆଶାରାମ୍‌ଙ୍କ ବିରୋଧରେ ରାୟ ପ୍ରକାଶ ହୋଇଛି।

ସମ୍ବନ୍ଧିତ ଖବର