ପ୍ରତି ୪ ଘଣ୍ଟାରେ ଠକେଇ ଅଭିଯୋଗରେ ଧରାପଡୁଛନ୍ତି ଜଣେ ବ୍ୟାଙ୍କ୍‌ କର୍ମଚାରୀ

ବେଙ୍ଗାଲୁରୁ: ହାରାହାରି ପ୍ରତି ୪ ଘଣ୍ଟାରେ ଜଣେ ବ୍ୟାଙ୍କ୍‌ କର୍ମଚାରୀ ଠକେଇ ସମ୍ପୃକ୍ତିରେ ଧରାପଡ଼ି ଦଣ୍ଡିତ ହେଉଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ସଙ୍କଳିତ କରିଥିବା ତଥ୍ୟରୁ ଜଣାପଡ଼ିଛି।

୨୦୧୫ ଜାନୁଆରି ୧ ତାରିଖରୁ ୨୦୧୭ ମାର୍ଚ ୩୧ ତାରିଖ ମଧ୍ୟରେ ପବ୍ଲିକ୍‌ ସେକ୍ଟର୍‌ ବ୍ୟାଙ୍କ୍‌ର ପ୍ରାୟ ୫୨୦୦ ଅଧିକାରୀ ଠକେଇ ପାଇଁ ଦଣ୍ଡିତ ହୋଇଛନ୍ତି।

ଏହି କର୍ମଚାରୀମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ଚାକିରିରୁ ବରଖାସ୍ତ ହେବା ଭଳି ଦଣ୍ଡିତ କରାଯାଇଥିବା କଥା ରିଜର୍ଭ ବ୍ୟାଙ୍କ୍‌ କାଗଜପତ୍ରରୁ ଜଣାପଡ଼ିଛି। ଏପ୍ରିଲ୍‌ ୨୦୧୭ ଠାରୁ ପୁଣି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ତଥ୍ୟ ଏକତ୍ର ଆରମ୍ଭ କରିଛି ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌।

ଠକେଇ ସମ୍ପୃକ୍ତିରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ର ସବୁଠୁ ଅଧିକ ୧, ୫୩୮ ଜଣ ଅଧିକାରୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ତାଲିକାର ଶୀର୍ଷରେ ରହିଛି। ଇଣ୍ଡିଆନ୍‌ ଓଭର୍‌ ସିଜ୍‌ ବ୍ୟାଙ୍କ୍‌ର ୪୪୯ ଜଣ କର୍ମଚାରୀ ଏବଂ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆର ୪୦୬ ଜଣ ଠକେଇରେ ସମ୍ପୃକ୍ତ ଥାଇ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। ଏହି ସମୟରେ ଠକେଇ କାର୍ଯ୍ୟକଳାପରେ ସମ୍ପୃକ୍ତ ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ୧୮୪ ଜଣ ଅଧିକାରୀ ଧରାପଡ଼ିଥିଲେ।

ଅବଶ୍ୟ କର୍ମଚାରୀମାନଙ୍କର ଠକାମି ଯୋଗୁଁ ସମ୍ପୃକ୍ତ ବ୍ୟାଙ୍କ୍‌ର କେତେ ଆର୍ଥିକ କ୍ଷତି ହୋଇଛି ତାହା ଏହି ତାଲିକାରେ ଉଲ୍ଲେଖ କରାଯାଇ ନାହିଁ। କିନ୍ତୁ ରିଜର୍ଭ ବ୍ୟାଙ୍କ୍‌ର ଭିନ୍ନ ଏକ ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୩ ଏପ୍ରିଲ୍‌ ୧ ତାରିଖରୁ ୨୦୧୬ ଡିସେମ୍ବର ୩୧ ତାରିଖ ସୁଦ୍ଧା ଘରୋଇ ବ୍ୟାଙ୍କ୍‌ ସମେତ ସମସ୍ତ ବ୍ୟାବସାୟିକ ବ୍ୟାଙ୍କ୍‌ରେ ୬୬, ୦୬୬ କୋଟିରୁ ୧୭, ୫୦୬ କୋଟି ଟଙ୍କା ଠକେଇ ହୋଇଛି।

ସମୁଦାୟ ଠକେଇ ମାମଲାରୁ ୨, ୦୮୪ ମାମଲାରେ ବ୍ୟାଙ୍କ୍‌ କର୍ମଚାରୀ ସମ୍ପୃକ୍ତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର