ଉତ୍ତରପ୍ରଦେଶ ଭିଆଇପି ଆସନ ଉପରେ ସମସ୍ତଙ୍କ ନଜର

ଲକ୍ଷ୍ନୌ: ‌ଲୋକସଭାକୁ ସବୁଠୁ ଅଧିକ ଆସନ ଦେଉଥିବା ଉତ୍ତରପ୍ରଦେଶ ଉପ‌ରେ ସମସ୍ତଙ୍କ ନଜର ରହିଛି। ୮୦ ଆସନ ବିଶିଷ୍ଟ ରାଜ୍ୟ ଉତ୍ତରପ୍ରଦେଶ ରାଜନୈତିକ ଦୃଷ୍ଟିକୋଣରୁ ଅତୀବ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏହାର ଭିଆଇପି ଆସନଗୁଡ଼ିକ ଉପରେ ଏବେ ସମସ୍ତଙ୍କ ନଜର ରହିଛି। । ଏହି ଆସନ ଗୁଡ଼ିକର ଫଳାଫଳ ଜାତୀୟ ରାଜନୀତିର ଭବିଷ୍ୟତକୁ ନିର୍ଦ୍ଧାରଣ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ପ୍ରମୁଖ ନେତାଗଣ ଉତ୍ତରପ୍ରଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ତେଣୁ ଏହି ଆସନଗୁଡ଼ିକକୁ ନେଇ ଏବେ ରାଜନୈତିକ ଉଷ୍ମତା ବଢ଼ିଯାଇଛି। ବାରଣାସୀ ନିର୍ବାଚନ ମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଲଢ଼ୁଥିବାବେଳେ ଏହି ଆସନ ଉପରେ ସମଗ୍ର ବିଶ୍ବର ନଜର ରହିଛି। ଆମେଥୀରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ବାଚନ ଲଢ଼ୁଥିବାରୁ ଏହି ଦୁଇଟି ଆସନ ମଧ୍ୟ ଫୋକସ୍‌ରେ ରହିଛି। ଆମେଥୀରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଂଜ କରୁଛନ୍ତି। ସୋନିଆ ଗାନ୍ଧୀ ୧୯୯୯ରୁ ରାଏବରେଲି ଆସନରୁ ପ୍ରତିନିଧିତ୍ବ କରି ଆସୁଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ପୁଣିଥରେ ଲକ୍ଷ୍ନୌ ଆସନରୁ ନିର୍ବାଚନ ଲଢ଼ିବେ ଏବଂ ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ମଥୁରାରୁ ନିର୍ବାଚନ ଲଢ଼ିବେ। ତେଣୁ ଲକ୍ଷ୍ନୌ ଏବଂ ମଥୁରା ଆସନକୁ ନେଇ ମଧ୍ୟ ରାଜନୈତିକ ଛକାପଂଝା ବଢ଼ିଯାଇଛି। କେନ୍ଦ୍ର ମନ୍ତ୍ରୀ ଭିକେ ସିଂହଙ୍କ ଗାଜିଆବାଦ୍‌ ଆସନ ବି ଚର୍ଚ୍ଚାରେ ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ ‌କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗୋରଖପୁର ଏବଂ ଫୁଲପୁର ଆସନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। କଂଗ୍ରେସ ରାଜ୍ୟ ସଭାପତି ରାଜ ବବ୍ବର ନିର୍ବାଚନ ଲଢ଼ୁଥିବା ଫତେପୁର ସିକ୍ରୀ ଉପରେ ବି ସମସ୍ତଙ୍କ ନଜର ରହିଛି। ବହୁ ଚର୍ଚ୍ଚିତ ଆହ୍ଲାବାଦ ଆସନରୁ ବଲିଉଡ୍‌ ଅଭିନେତା ସଂଜୟ ଦତ୍ତ କଂଗ୍ରେସରୁ ପ୍ରାର୍ଥୀ ହେବାନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିବାରୁ ଏଥର ନିର୍ବାଚନ ପରିଣାମ ଚକିତକାରୀ ହୋଇପାରେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର