ଇଭିଏମ୍‌କୁ ଅଂଶୁଘାତ! : ଉପନିର୍ବାଚନ ବେଳେ ୪୫୦ ଭୋଟିଂ ମେସିନ୍‌ ଅଚଳ

ୟୁପିରେ ୧୫୦ରୁ ଅଧିକ ମେସିନ୍‌ରେ ତ୍ରୁଟି, ମହାରାଷ୍ଟ୍ରରେ ୩୫ଟି ବୁଥ୍‌ରେ ଭୋଟ୍‌ ବାତିଲ୍‌

ନୂଆଦିଲ୍ଲୀ : ଆଜି ୧୦ଟି ରାଜ୍ୟରେ ୪ଟି ଲୋକସଭା ଓ ୧୦ଟି ବିଧାନସଭା ଉପ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଥିବା ଏହି ଉପନିର୍ବାଚନ ପାଇଁ ମତଦାନ ବେଳେ ଭୋଟିଂ ମେସିନ (ଇଭିଏମ୍‌) ଗୁଡ଼ିକରେ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଅନେକ ସ୍ଥାନରେ ମେସିନ ଆରମ୍ଭରୁ କାମ କରି ନଥିବା ବେଳେ ଆଉ କେତେକ ସ୍ଥାନରେ ମତଦାନ ମଝିରେ ଅଚଳ ହୋଇପଡ଼ିଥିଲା। ଏସଂପର୍କରେ ଉଭୟ ସରକାରୀ ଓ ବିରୋଧୀ ଦଳ ଅଭିଯୋଗ କରିବା ପରେ ମେସିନ ବଦଳାଯାଇଥିଲା। ତଥାପି ଏହା କାମ କରିନଥିଲା। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମେସିନ ଅଚଳ ହୋଇପଡ଼ିଥିବା ନିର୍ବାଚନ କମିସନ ସଫେଇ ଦେଇଛନ୍ତି।
ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କ ଅଭିଯୋଗ ଅନୁଯାୟୀ ମତଦାନ ବେଳେ ମୋଟ ୪୫୦ରୁ ଅଧିକ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ଅଚଳ ହୋଇପଡ଼ିଥିଲା। ସେଥିମଧ୍ୟରୁ ୟୁପିରେ ସର୍ବର୍ାଧିକ ୧୫୦ଟି ମେସିନ୍‌ ଅଚଳ ହୋଇ ପଡ଼ିଥିବା ବେଳେ ମହାରାଷ୍ଟ୍ରରେ ଏହି କାରଣରୁ ୩୫ଟି ବୁଥରେ ମତଦାନକୁ ବାତିଲ କରିବାକୁ ପଡ଼ିଥିଲା।

ୟୁପିର କୈରାନା ଓ ମହାରାଷ୍ଟ୍ରର ପାଲଘର ଓ ଭଣ୍ଡାରା ଗୋଣ୍ଡିୟାରେ ଇଭିଏମ ତ୍ରୁଟି ଯୋଗୁଁ ବିଭିନ୍ନ ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୨୫ ପ୍ରତିଶତ ପୋଲିଂ ବୁଥରେ ଇଭିଏମ ଓ ଭିଭିପିଏଟି କାମ କରୁ ନଥିବା ନେଇ ଖବର ପ୍ରସାରିତ ହୋଇଥିଲା। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଭଣ୍ଡାରା ଗୋଣ୍ଡିୟାରେ ମଧ୍ୟ ୩୫ଟି ପୋଲିଂ ବୁଥରେ ମତଦାନ ବାତିଲ କରାଯାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ନିର୍ବାଚନ କମିସନ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ୩୫ଟି ପୋଲିଂ ବୁଥର ଭୋଟିଂ ବାତିଲ ହେବା ନେଇ ପ୍ରସାରିତ ଖବରକୁ ମିଛ ବୋଲି ନିର୍ବାଚନ କମିସନ କହିବା ସହିତ ଉକ୍ତ ସ୍ଥାନ ଗୁଡ଼ିକରେ ଇଭିଏମ ପରିବର୍ତ୍ତନ ପରେ ମତଦାନ ହୋଇଥିବା ସ୍ପଷ୍ଟ କରିଛନ୍ତିି।

ଇଭିଏମରେ ଏଭଳି ବଡ଼ ଧରଣର ତ୍ରୁଟି ପରିଲକ୍ଷିତ ହେବା ପରେ ଏହାକୁ ନେଇ ବିବାଦ ଉପୁଜିଛି। ଇଭିଏମ୍‌ ତ୍ରୁଟି ପଛରେ ବିଜେପିର ହାତ ଥିବା ନେଇ ବିରୋଧୀ ଅଭିଯୋଗ କରିବା ପରେ ରାଜନୀତି ସରଗରମ ହୋଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ରର ଇଭିଏମ୍‌ ତ୍ରୁଟି ପଛରେ ବିଜେପିର ହାତଥିବା ନେଇ ଶିବସେନା ଅଭିଯୋଗ କରିଛି। ସେପଟେ, ୟୁପି ଓ ମହାରାଷ୍ଟ୍ର ପାଇଁ ଗୁଜରାଟର ସୁରଟରୁ କାହିଁକି ଇଭିଏମ୍‌ ଅଣାଗଲା ବୋଲି ଏନସିପି ପ୍ରଶ୍ନ କରିଛି। ତେବେ କୈରାନାରେ ଡିଏମ୍‌ ଇନ୍ଦ୍ର ବିକ୍ରମ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ, ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଇଭିଏମ ଓ ଭିଭି ପିଏଟିରେ ଲାଗିଥିବା ସେନସର ଗୁଡ଼ିକ ଖରାପ ହୋଇଯିବା ଫଳରେ ମତଦାନରେ ବାଧା ସୃଷ୍ଟି ହୋଇଛିି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପ ନିର୍ବାଚନ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏତେ ସଂଖ୍ୟକ ଇଭିଏମ୍‌ରେ ତ୍ରୁଟି ନିର୍ବାଚନ କମିସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଆଗାମୀ ଲୋକସଭା ନିର୍ବାଚନ ଖରା ଦିନରେ ହେବାକୁ ଥିବା ବେଳେ ଇଭିଏମ୍‌ କେମିତି ଠିକ୍‌ ଭାବେ କାମ କରିବ ବୋଲି ପ୍ରଶ୍ନ ଉଠିଲାଣି।

ଇତିମଧ୍ୟରେ ନିର୍ବାଚନ କମିସନଙ୍କ ପକ୍ଷରୁ କୁହଯାଇଛି ଯେ ଇଭିଏମ୍‌ ତ୍ରୁଟି ନେଇ ଅଭିଯୋଗ ଆସିଛି। କେତେକ ସ୍ଥାନରେ ମେସିନ ବଦଳାଯାଇଛି। ତଥାପି ଏହା କାମ କରିନାହିଁ। ଅଭିଯୋଗ ଉପରେ ଯାଞ୍ଚ କରାଯାଉଛି। ଆବଶ୍ୟକ ପଡ଼ିଲେ ଏହି ସ୍ଥାନମାନଙ୍କରେ ସାନି ମତଦାନ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ୩୧ ତାରିଖରେ ଭୋଟ ଗଣତି କରାଯିବ।

ସମ୍ବନ୍ଧିତ ଖବର