ଆଇଏସ୍‌ଆଇ ପାଇଁ ସୂଚନା ହସ୍ତାନ୍ତର କରିଥିବା ପୂର୍ବତନ କୂଟନୀତିଜ୍ଞଙ୍କୁ ୩ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ପାକିସ୍ତାନର ‘ଆଇଏସ୍‌ଆଇ’କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରିଥିବା ମାମଲାରେ ଇସ୍‌ଲାମାବାଦସ୍ଥିତ ଭାରତୀୟ ହାଇକମିସନ୍‌ରେ ନିଯୁକ୍ତ ହୋଇଥିବା ପୂର୍ବତନ କୂଟନୀତିଜ୍ଞ ମାଧୁରୀ ଗୁପ୍ତଙ୍କୁ ଶନିବାର ଦିନ ତିନି ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ତାଙ୍କର କାର୍ଯ୍ୟ ନିରାପତ୍ତା ପ୍ରତି ଘୋର ବିପତ୍ତି ବୋଲି କହିଛନ୍ତି ଅତିରିକ୍ତ ସେସନ୍‌ ଜଜ୍‌ ସିଦ୍ଧାର୍ଥ ଶର୍ମା। ଗୁପ୍ତଚରବୃତ୍ତି ଏବଂ ଆଇନଦ୍ୱାରା ସୁରକ୍ଷିତ ସୂଚନାର ବେଆଇନ୍‌ ହସ୍ତାନ୍ତର କରିଥିବା ତାଙ୍କ ପରି ଜଣେ ଶିକ୍ଷିତା ମହିଳା ଦୟାର ପାତ୍ରୀ ନୁହନ୍ତି କହି ଶର୍ମା ଗୁପ୍ତଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି। ଜଣେ ବରିଷ୍ଠ ନାଗରିକ, ଅବିବାହିତା ଏବଂ ପରିସ୍ଥିତିର ଦାସୀ ବୋଲି ଦର୍ଶାଇ ଗୁପ୍ତ ଦୟା ଭିକ୍ଷା କରିଥିଲେ।

ଦଣ୍ଡାଦେଶ ଶୁଣାଇବା ପରେ ଅଦାଲତ ଆବେଦନ ଆଧାରରେ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି।

ଦିଲ୍ଲୀ ଆସି ୨୦୧୦ ଏପ୍ରିଲ୍‌ ୨୨ରେ ଗିରଫ ହେବା ଯାଏଁ ୬୧ ବର୍ଷୀୟ ଗୁପ୍ତ ପ୍ରେସ୍‌ ଆଣ୍ଡ୍‌ ଇନ୍‌ଫର୍ମେସନ୍‌ ବିଭାଗରେ ୨୦୦୭ରୁ ଦ୍ୱିତୀୟ ସଚିବ ଭାବେ କାର୍ଯ୍ୟରତ ଥିଲେ। ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ୍‌ ବ୍ୟବସ୍ଥାନୁସାରେ ଶୁକ୍ରବାର ଦିନ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଅଦାଲତ ଆହୁରି ମଧ୍ୟ ଦର୍ଶାଇ ଥିଲେ କି, ତାଙ୍କ ନାମରେ କିଣା ଯାଇଥିବା ଲାପ୍‌ଟପ୍‌ ଏବଂ ବ୍ଲାକ୍‌ବେରି ଫୋନ୍‌ ଆଦି ଇଲେକ୍ଟ୍ରନିକ୍‌ ଗ୍ୟାଜେଟ୍‌ ଆଦିରେ ଆଇଏସ୍‌ଆଇର ପରିଚାଳକମାନଙ୍କୁ ପଠା ଯାଇଥିବା ବିଭିନ୍ନ ଇ-ମେଲ୍‌ ରହିଥିଲା।

ସମ୍ବନ୍ଧିତ ଖବର