ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଲେ ପୂର୍ବ ଏସପିଓ

ଶ୍ରୀନଗର : ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଆଜି ଆତଙ୍କବାଦୀ ଗୁଳି‌ରେ ପ୍ରାଣ ହରାଇଛନ୍ତି ଜଣେ ପୂର୍ବତନ ଏସ୍‌ପିଓ। ନିହତ ଏସ୍‌ପିଓଙ୍କ ନାମ ଆସିକ ଅହମଦ ନାୟକ। ଆଜି ସକା‌ଳେ ପୁଲୱାମା ଜିଲ୍ଲାର ପିଙ୍ଗ୍‌ଲିନା ସ୍ଥିତ ତାଙ୍କ ବାସଭବନ ବାହାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ନାୟକଙ୍କ ଉପରକୁ ଗୁଳି ଚଳାଇଥିବା ଆତଙ୍କବାଦୀମାନେ ଜେଇଏମ୍‌ର ବୋଲି ଜଣାପଡ଼ିଛି। ୨୫ ବର୍ଷୀୟ ପୂର୍ବତନ ଏସ୍‌ପିଓ ନାୟକ ଗତବର୍ଷ ସେପ୍ଟେମ୍ବରରେ‌ ସେନାର ଜମ୍ମୁ କଶ୍ମୀର ଲାଇଟ୍‌ ଇନ୍‌ଫ୍ୟାଣ୍ଟ୍ରି‌ରେ ଯୋଗ ଦେଇଥିଲେ। କିନ୍ତୁ ତାଲିମ ପର୍ଯ୍ୟାୟରୁ ହିଁ ସେ ଓହରି ଆସିଥିଲେ। ଉଲ୍ଲେଖଯୋଗ୍ୟ ପୁଲୱାମା ଆତ୍ମଘାତୀ ଆକ୍ରମଣ ପରେ ଗତ ଫେବ୍ରୁଆରି ୧୮ରେ ୩ ଜଣ ଆତଙ୍କବାଦୀଙ୍କୁ ଏହି ପିଙ୍ଗ୍‌ଲିନା ଅଞ୍ଚଳରେ ନିପାତ କରିଥିଲେ ସୁରକ୍ଷାକର୍ମୀ। ଆଜି ଏହି ସମାନ ସ୍ଥାନରେ ଆତଙ୍କବାଦୀମାନେ ନାୟକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଉକ୍ତ ଘଟଣା ପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି।

ସମ୍ବନ୍ଧିତ ଖବର