ଏକଜିଟ୍‌ ପୋଲ : ମହାରାଷ୍ଟ୍ର, ହରିଆଣାରେ ପୁଣି କ୍ଷମତାକୁ ଫେରିବ ବିଜେପି ମେଣ୍ଟ

ନୂଆଦିଲ୍ଲୀ : ମହାରାଷ୍ଟ୍ର ଓ ହରିଆଣାରେ ସଂଧ୍ୟା ୬ଟା ସୁଦ୍ଧା ଯଥାକ୍ରମେ ୫୫.୩୩ ପ୍ରତିଶତ ଓ ୬୧.୬୨ ପ୍ରତିଶତ ମତଦାନ ହୋଇଛି । ତେବେ କେତେକ ଭୋଟଗ୍ରହଣ କେନ୍ଦ୍ରରେ ଏବେ ମଧ୍ୟ ଭୋଟଗ୍ରହଣ ଅବ୍ୟାହତ ରହିଥିବାରୁ ଚୂଡାନ୍ତ ମତଦାନ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଏହି ଦୁଇଟି ରାଜ୍ୟର ନିର୍ବାଚନ ସଂପର୍କରେ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡା ମତ ବା ଏକଜିଟ ପୋଲ ପ୍ରକାଶ ପାଇଛି । ପ୍ରାୟ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ ଅନୁସାରେ ଉଭୟ ରାଜ୍ୟରେ ବିଜେପି ମେଣ୍ଟ (ଏନଡିଏ) ପୁଣି ସରକାର ଗଢିବାର ସମ୍ଭାବନା ରହିଛି ।

ଟିଭି-୯ ମରାଠୀର ପୂର୍ବାନୁମାନ ଅନୁସାରେ ମହାରାଷ୍ଟ୍ରରେ ବିଜେପି ମେଣ୍ଟ ୧୯୭ଟି, କଂଗ୍ରେସ ମେଣ୍ଟ ୭୫ଟି ଓ ଅନ୍ୟମାନେ ୧୬ଟି ଆସନ ଜିତିବେ । ପୋଲ ଅଫ ପୋଲସର ପୂର୍ବାନୁମାନ ଅନୁସାରେ ବିଜେପି ମେଣ୍ଟ ୨୧୧ଟି, କଂଗ୍ରେସ ମେଣ୍ଟ ୬୪ଟି ଓ ଅନ୍ୟମାନେ ୧୩ଟି ଆସନ ଜିତିବେ । ଇଣ୍ଡିଆ ଟୁଡେର ପୂର୍ବାନୁମାନ ଅନୁସାରେ ବିଜେପି ମେଣ୍ଟ ୧୬୬-୧୯୪ଟି, କଂଗ୍ରେସ ମେଣ୍ଟ ୭୨-୯୦ଟି ଓ ଅନ୍ୟମାନେ ୨୨-୩୪ଟି ଆସନ ଜିତିବେ । ଟାଇମ୍ସ ନାଓର ଏକଜିଟ ପୋଲ ଅନୁସାରେ ବିଜେପି ମେଣ୍ଟ ୨୩୦ ଟି, କଂଗ୍ରେସ ମେଣ୍ଟ ୪୮ଟି ଓ ଅନ୍ୟମାନେ ୧୦ଟି ଆସନ ଜିତିବେ ।

ସେହିପରି ହରିଆଣାରେ ମଧ୍ୟ ବିଜେପି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି । ଟାଇମ୍ସ ନାଓର ରିପୋର୍ଟ ଅନୁସାରେ ବିଜେପି ୭୧ଟି, କଂଗ୍ରେସ ୧୧ ଟି ଓ ଅନ୍ୟମାନେ ୮ଟି ଆସନ ଜିତିବାର ସମ୍ଭାବନା ରହିଛି । ସେହିପରି ପୋଲ ଅଫ ପୋଲ୍ସର ପୂର୍ବାନୁମାନ ଅନୁସାରେ ବିଜେପି ମେଣ୍ଟ ୬୬ଟି, କଂଗ୍ରେସ ମେଣ୍ଟ ୧୪ଟି ଓ ଅନ୍ୟମାନେ ୮ଟି ଆସନ ଜିତିବେ । ଜନ କି ବାତର ପୂର୍ବାନୁମାନ ଅନୁସାରେ ବିଜେପି ମେଣ୍ଟ ୫୨ଟି, କଂଗ୍ରେସ ମେଣ୍ଟ ୧୯ଟି, ଜେଜେପି ୯ଟି ଓ ଅନ୍ୟମାନେ ୯ଟି ଆସନ ଜିତିବେ ।

ସମ୍ବନ୍ଧିତ ଖବର