ବୁଥ୍‌ ବାହୁଡ଼ା ମତ : ମହାରାଷ୍ଟ୍ର, ହରିୟାଣାରେ ପୁଣି ବିଜେପି!

ନୂଆଦିଲ୍ଲୀ : ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ଗୁଡ଼ିକର ବିପୁଳ ବିଜୟ ହେବ। ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ୍ ବାହୁଡ଼ା ସର୍ଭେରେ ଏଭଳି ଆକଳନ କରାଯାଇଛି। ଅର୍ଥାତ୍ ଏହି ଦୁଇ ରାଜ୍ୟରେ ବିଜେପି ପୁଣି ଶାସନ କ୍ଷମତାକୁ ଫେରିବ। ମହାରାଷ୍ଟ୍ରରେ ୨୮୮ଟି ଆସନ ପାଇଁ ବିଧାନସଭା ନିର୍ବାଚନ ହେଉଛି। ତେଣୁ ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ହେଉଛି ୧୪୫। ତେବେ ଏଠାରେ ବିଜେପି-ଶିବସେନା ମେଣ୍ଟ ବହୁ ଅଧିକ ଆସନ ପାଇ ସରକାର ଗଠନ କରିବ ବୋଲି ପ୍ରାୟ ସବୁ ସଂସ୍ଥା ସେମାନଙ୍କ ବୁଥ୍‌ ବାହୁଡ଼ା ସର୍ଭେରେ ପ୍ରକାଶ କରିଛନ୍ତି।

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ୨୩୦ଟି ଆସନରେ ବିଜୟୀ ହେବାକୁ ଥିବା ବେଳେ କଂଗ୍ରେସ ଏବଂ ଏନସିପି ମେଣ୍ଟକୁ ମାତ୍ର ୪୮ଟି ଆସନ ବିଜୟୀ ହେବ ବୋଲି ଟାଇମ୍ସ ନାଓ ପକ୍ଷରୁ ଆକଳନ କରାଯାଇଛି।

ଅନ୍ୟମାନଙ୍କୁ ୧୦ଟି ଆସନ ମିଳିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ନ୍ୟୁଜ୍ ୧୮-ଆଇପିଏସଓଏସ ପକ୍ଷରୁ କରାଯାଇଥିବା ଆକଳନରେ କୁହାଯାଇଛି, ବିଜେପି-ଶିବସେନା ମେଣ୍ଟକୁ ୨୪୩ଟି ଆସନ ମିଳିବାକୁ ଥିବାବେଳେ କଂଗ୍ରେସ-ଏନସିପି ମେଣ୍ଟକୁ ୪୧ଟି ଆସନ ମିଳିବ। ଏବିପି ନ୍ୟୁଜ୍-ସି ଭୋଟର ପକ୍ଷରୁ କରାଯାଇଥିବା ବୁଥ୍‌ବାହୁଡ଼ା ମତ ସର୍ଭେରେ ବିଜେପି-ଶିବସେନା ମେଣ୍ଟକୁ ୧୯୨ରୁ ୨୧୬ଟି ଆସନ ପ୍ରଦାନ କରାଯାଇଥିବା ବେଳେ କଂଗ୍ରେସ-ଏନସିପି ମେଣ୍ଟକୁ ୫୫ରୁ ୮୧ଟି ଆସନ ମିଳିବ ବୋଲି କୁହାଯାଇଛି। ସେହିଭଳି ଇଣ୍ଡିଆ ଟୁଡେ-ଏକ୍ସିସ ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପି ଏବଂ ‌ଶିବସେନା ମେଣ୍ଟକୁ ୧୬୬ରୁ ୧୯୪ଟି ଆସନ ମିଳିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଏବଂ ଏନସିପି ମେଣ୍ଟକୁ ୭୨ରୁ ୯୦ଟି ଆସନ ଏବଂ ଅନ୍ୟମାନଙ୍କୁ ୨୨ରୁ ୩୪ଟି ଆସନ ମିଳିବ ବୋଲି ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ରିପବ୍ଲିକ- ଜନ୍ କୀ ବାତ୍ ପକ୍ଷରୁ ବିଜେପି ମେଣ୍ଟକୁ ୨୧୬ରୁ ୨୩୦ଟି, କଂଗ୍ରେସ ମେଣ୍ଟକୁ ୫୨ରୁ ୫୯ଟି ଏବଂ ଅନ୍ୟ ଦଳଗୁଡ଼ିକୁ ୮ରୁ ୧୨ଟି ଆସନ ଦିଆଯାଇଛି। ନ୍ୟୁଜ୍ ଏସଏକ୍ସ ଓ ପୋଲ୍ ଷ୍ଟାଟ୍ ପକ୍ଷରୁ ବିଜେପି ମେଣ୍ଟକୁ ୧୮୮ରୁ ୨୦୦ଟି, କଂଗ୍ରେସ ମେଣ୍ଟକୁ ୭୪ରୁ ୮୯ଟି ଏବଂ ଅନ୍ୟ ଦଳଗୁଡ଼ିକୁ ୬ରୁ ୧୦ଟି ଆସନ ମିଳିବ ବୋଲି କୁହାଯାଇଛି।

ସେହିଭଳି ହରିୟାଣାରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସମସ୍ତ ବୁଥ ବାହୁଡ଼ା ମତ ସର୍ଭେରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି କୁହାଯାଇଛି। ଟାଇମ୍ସ ନାଓର ସର୍ଭେରେ ବିଜେପିକୁ ୭୧, କଂଗ୍ରେସକୁ ୧୧ ଏବଂ ଅନ୍ୟମାନଙ୍କୁ ୮ଟି ଆସନ ଦିଆଯାଇଛି। ‌ଟିଭିଏସ-ଭାରତବର୍ଷ ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପିକୁ କିନ୍ତୁ ଅପେକ୍ଷାକୃତ ଭାବେ କମ୍ ଅର୍ଥାତ୍ ୪୭ଟି ଆସନ ମିଳିବ ବୋଲି କୁହାଯାଇଥିବା ବେଳେ କଂଗ୍ରେସକୁ ୨୩ଟି ଏବଂ ଅନ୍ୟମାନଙ୍କୁ ୨୦ଟି ଆସନ ମିଳିବ ବୋଲି ଦର୍ଶାଯାଇଛି। ରିପବ୍ଲିକ୍ ଏବଂ ଜନ୍ କୀ ବାତ୍ ପକ୍ଷରୁ କରାଯାଇଥିବା ସର୍ଭେରେ ବିଜେପିକୁ ୫୨ରୁ ୬୩ଟି ଆସନ ମିଳିବ ବୋଲି ଆକଳନ କରାଯାଇଥିବାବେଳେ କଂଗ୍ରେସକୁ ୧୫ରୁ ୧୯ଟି ଏବଂ ଅନ୍ୟମାନଙ୍କୁ ୧୨ରୁ ୧୮ଟି ଆସନ ମିଳିବ ବୋଲି କୁହାଯାାଇଛି। ତେଣୁ ସବୁ ସଂସ୍ଥାର ଆକଳନରେ ବିଜେପି ସରକାର ଗଠନ କରିବ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର