ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ହଜାର ହଜାର ପଦବୀ ଖାଲି, ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରିବାକୁ ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ପ୍ରାୟ ହଜାର ପଦବୀ ଖାଲି ପଡିଛି । ଏହା ଫଳରେ ଏହି ବାହିନୀଗୁଡ଼ିକରେ ଯବାନ ଓ ଅନ୍ୟ କର୍ମଚାରୀ ଅଭାବ ଦେଖାଦେଇଛି । ଏହି ସମସ୍ୟା ଆଗକୁ ଆହୁରି ଜଟିଳ ହେବାର ସମ୍ଭାବନା ଥିବାରୁ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଉପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଗୁରୁତ୍ୱ ଆରୋପ କରିଛନ୍ତି । ଏକ ସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଏସବୁ ଖାଲି ପଦବୀ ପୂରଣ ପାଇଁ ସେ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ତେବେ ବିଭିନ୍ନ ଉପାୟରେ ଏସବୁ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରାଳୟ କହିଛି । ସେଗୁଡ଼ିକ ମଧ୍ୟରେ ପ୍ରତ୍ୟକ୍ଷ ନିଯୁକ୍ତି, ପଦୋନ୍ନତି ଓ ଡେପୁଟେସନ ଅନ୍ୟତମ ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁସାରେ ବିଭିନ୍ନ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀଗୁଡ଼ିକରେ ପ୍ରାୟ ୬୧ ହଜାର ପଦବୀ ଖାଲି ପଡିଛି । ଏହା ମଧ୍ୟରୁ ସିଆରପିଏଫରେ ୧୮,୪୬୦ ଟି ପଦବୀ, ବିଏସଏପରେ ୧୦,୭୩୮ଟି ପଦବୀ ଅନ୍ତର୍ଭୁକ୍ତ । ତେବେ ସଶସ୍ତ୍ର ସୀମା ବଳରେ ସର୍ବାଧିକ ୧୮,୯୪୨ଟି ପଦବୀ ଖାଲି ରହିଛି । ଇଣ୍ଡୋ-ତିବ୍ଦତିଆନ ବର୍ଡର ପୁଲିସରେ ୫୭୮୬ଟି ପଦବୀ, ଆସାମ ରାଇଫଲ୍ସରେ ୩୮୪୦ଟି ପଦବୀ ଓ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ)ରେ ୩୮୧୨ଟି ପଦବୀ ଖାଲି ରହିଛି । ବିଭିନ୍ନ କାରଣରୁ ଏସବୁ ପଦବୀ ଖାଲି ରହିଥିବା ଜଣାଯାଇଛି । ସେଗୁଡିକ ମଧ୍ୟରେ ରହିଛି କର୍ମଚାରୀ ଓ ଯବାନଙ୍କ ଅବସର, ଅପରେସନ ବେଳେ ନିହତ ହେବା, ଚାକିରିରୁ ଇସ୍ତଫା ଦେବା ଇତ୍ୟାଦି ।

ସମ୍ବନ୍ଧିତ ଖବର