କିଏ ହେବେ ସିବିଆଇର ନୂଆ ନିର୍ଦ୍ଦେଶକ : ଦୌଡ଼ରେ ୧୦  ଅଧିକାରୀ

ନୂଆଦିଲ୍ଲୀ: ସିବିଆଇ ପଦବିରୁ ଅପସାରିତ ହେବା ପରେ ପୂର୍ବ ନିର୍ଦ୍ଦେଶକ ଆଲୋକ ବର୍ମା ନୂତନ ନିଯୁକ୍ତିକୁ ଗ୍ରହଣ ନ କରି ଚାକିରିରୁ ଇସ୍ତଫା ଦେଇଛନ୍ତି। ତେବେ ବର୍ମାଙ୍କ କାର୍ଯ୍ୟକାଳ ଚଳିତ ମାସ ୩୧ ତାରିଖରେ ପୁରି ଥାନ୍ତା। ତେଣୁ ତାଙ୍କ ସ୍ଥାନରେ ଯଦିଓ କାମଚଳା ନିର୍ଦ୍ଦେଶକ ଭାବେ ଏମ ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦିଆଯାଇଛି, ତେବେ ସ୍ଥାୟୀ ନିର୍ଦ୍ଦେଶକ ଚୟନ ପାଇଁ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂ ପୁଲିସ ମହାନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ନାମ ବାଛି ସିଲେକ୍ଟ କମିଟି ନିକଟକୁ ପଠାଇବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ଗାଇଡ୍‌ ଲାଇନ ୨୦୦୪ ଅନୁଯାୟୀ,୧୯୮୩.୧୯୮୪ ଓ ୧୯୮୫ ବ୍ୟାଚ୍‌ର ଆଇପିଏସ ଅଫିସରଙ୍କ ନାମ ଏଥିପାଇଁ ବିଚାରକୁ ନିଆଯାଇଛି। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଡିପାର୍ଟମେଣ୍ଟ ଅଫ ପର୍ସନାଲ ଆଣ୍ଡ ଟ୍ରେନିଂର ଜଣେ ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ଅଧିକାରୀଙ୍କ ନାମ ଏଥିପାଇଁ ସର୍ଟ ଲିଷ୍ଟ କରାଯାଇଛି। ପୁଣି ଥରେ ସେମାନଙ୍କ କାର୍ଯ୍ୟ ଓ ଅଭିଜ୍ଞତାକୁ ଆଧାର କରି ୪/୫ ଜଣ ଅଧିକାରୀଙ୍କ ନାମ ସିଲେକ୍ଟ କମିଟିକୁ ପଠାଯିବ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ସିଲେକ୍ଟ କମିଟି ଏହି ଅଧିକାରୀଙ୍କ ଭିତରୁ ଜଣକୁ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେବାକୁ ନାମ ଚୟନ କରିବେ।

ମିଳିଥିବା ସୂଚନା ଅନୁଯାୟୀ, ସିବିଆଇ ନିର୍ଦ୍ଦେଶକ ପଦ ପାଇଁ ଯେଉଁମାନଙ୍କ ନାମ ଆଗ ଧାଡ଼ିରେ ରହିଛି, ସେମାନଙ୍କ ମଧ୍ୟରେ ମୁମ୍ବାଇ ପୁଲିସ କମିସନର ସୁବୋଧ କୁମାର ଜୟଓ୍ଵାଲ, ଉତ୍ତରପ୍ରଦେଶ ପୁଲିସ ମହାନିର୍ଦ୍ଦେଶକ ଓ ପି ସିଂହ, ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(ଏନଆଇଏ) ମୁଖ୍ୟ ଓ୍ଵାଇ ସି ମୋଦୀ, ଗୃହ ମନ୍ତ୍ରଣାଳୟର ସ୍ପେସାଲ ସେକ୍ରେଟାରି ରୀନା ମିତ୍ର,ସିଆରପିଏଫ ଡିଜି ରାଜୀବ ରାଏ ଭଟ୍ଟନାଗର, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ(ଏନଏସଜି) ଡି ଜି ସୁଦୀପ ଲଖ୍‌ଟାକିଆ, ବ୍ୟୁରୋ ଅଫ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ମୁଖ୍ୟ ଏ ପି ମାହେଶ୍ୱରୀ, ନ୍ୟାସେନାଲ ଇଷ୍ଟିଚ୍ୟୁଟ୍‌ ଅଫ୍‌ କ୍ରିମିନୋଲୋଜି ଆଣ୍ଡ ଫରେନସିକ୍‌ ସାଇନ୍ସର ନିର୍ଦ୍ଦେଶକ ଏସ ଜାଭେଦ ଅହମ୍ମଦ, ବିଏସଫ ଡିଜି ରଜନୀକାନ୍ତ ମିଶ୍ର, ଆଇଟିବିପି ମୁଖ୍ୟ ଏସଏସ ଦେସଓ୍ଵାଲ। ତେବେ ଏମାନଙ୍କ ମଧ୍ୟରୁ ସୁବୋଧ କୁମାର ଜୟଓ୍ଵାଲ, ଓପି ସିଂହ, ରୀନା ରାୟଓ ରାଜୀବ ରାଏ ଭଟ୍ଟନାଗରଙ୍କ ନାମ ଆଗରେ ଥିବା ଶୁଣାଯାଉଛି।

ସମ୍ବନ୍ଧିତ ଖବର