ଚାଞ୍ଚଲ୍ୟ ! ଫେସବୁକ କ’ଣ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ୬୦ଟି ମୋବାଇଲ ହାଣ୍ଡସେଟ କମ୍ପାନିଙ୍କୁ ପ୍ରଦାନ କରୁଛି ?

ନ୍ୟୁୟର୍କ : ପୁଣି ଏକ ବିବାଦରେ ଫସିଛି ଫେସବୁକ । ବିଭିନ୍ନ ମୋବାଇଲ କମ୍ପାନିଙ୍କୁ ବେଆଇନ ଲୋକମାନଙ୍କ ବ୍ୟକ୍ତିଗତ ତଥ୍ୟ ସେୟାର କରିଥିବା ଅଭିଯୋଗ ଉଠିଛି । ଆମେରିକାର ପ୍ରମୁଖ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ ନିଜର ଉପସ୍ଥିତିକୁ ସଂପ୍ରସାରିତ କରିବାକୁ ଫେସବୁକ ପ୍ରାୟ ୬୦ଟି ମୋବାଇଲ ହାଣ୍ଡସେଟ ନିର୍ମାତା କମ୍ପାନିଙ୍କ ସହ ବୁଝାମଣା କରିଥିଲା । ଏମାନଙ୍କ ମଧ୍ୟରେ ଅଛନ୍ତି ଆପଲ,ସାମସଙ୍ଗ, ବ୍ଲାକବେରୀ, ମାଇକ୍ରୋସଫ୍ଟ ଆଦି କମ୍ପାନି । ଏହି ବୁଝାମଣା ଅନୁସାରେ ଏସବୁ କମ୍ପାନିଙ୍କ ହ୍ୟାଣ୍ଡସେଟ୍‌ରେ ମୂଳରୁ ହିଁ ଫେସବୁକ ଲୋଡ ହୋଇ ଆସିଥାଏ । ଏହା ଦ୍ୱାରା ଫେସବୁକ ଅଧିକରୁ ଅଧିକ ୟୁଜର ସଂଗ୍ରହ କରିପାରୁଥିଲା । ଅପରପକ୍ଷରେ ହ୍ୟାଣ୍ଡସେଟ କମ୍ପାନିମାନେ ଫେସବୁକମାଧ୍ୟମରେ ୟୁଜରମାନଙ୍କ ଓ ଏପରିକି ସେମାନଙ୍କ ବନ୍ଧୁମାନଙ୍କ ସଂପର୍କରେ ତଥ୍ୟ ହାସଲ କରିପାରୁଥିଲେ ।

ୟୁଜରମାନଙ୍କ ବିନା ଅନୁମତିରେ ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍ୟ କମ୍ପାନିଙ୍କୁ ପ୍ରଦାନ କରିବା ଦ୍ୱାରା ଫେସବୁକ ଗୋପନୀୟତା ଆଇନର ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ଗତ ମାର୍ଚ୍ଚ ମାସରେ ଜଣାପଡିଥିଲା ଯେ ଫେସବୁକ ବେଆଇନ ଭାବେ ଲୋକମାନଙ୍କ ବ୍ୟକ୍ତିଗତ ଡାଟା କେମ୍ବି୍ରଜ ଆନାଲିଟିକା ନାମକ କମ୍ପାନିକୁ ପ୍ରଦାନ କରିଥିଲା । ଏହି ତଥ୍ୟ ବ୍ୟବହାର କରି ଆନାଲିଟିକା କେତେକ ଦେଶରେ ନିର୍ବାଚନକୁ ପ୍ରଭାବିତ କରିଥିଲା । କେମ୍ବି୍ରଜ ଆନାଲିଟିକା ପ୍ରାୟ ୫ କୋଟି ଫେସବୁକ ଆକାଉଣ୍ଟରୁ ତଥ୍ୟ ଚୋରୀ କରି ତାହାକୁ ରାଜନୈତିକ ପ୍ରଭାବ ପକାଇବା କାମରେ ବ୍ୟବହାର କରିଥିଲା । ଏହାକୁ ନେଇ ସାରା ବିଶ୍ୱରେ ଚହଳ ପଡିଯାଇଥିଲା ।

ସମ୍ବନ୍ଧିତ ଖବର