ଜେଲ୍‌ ଯିବା ଭୟରେ ଅନ୍ତଃସତ୍ତ୍ୱା ଭାବି-ପତ୍ନୀଙ୍କୁ ଥାନାରେ ବିବାହ କଲେ ଅରାଜି ହେଉଥିବା ବର

ଜାମସେଦପୁର: ମଙ୍ଗଳବାର ଦିନ ପୂର୍ବ ସିଂହଭୂମ ପୋଟ୍‌କା ବ୍ଲକ୍‌ ଅନ୍ତର୍ଗତ କୋଓ୍ଵାଲି ଥାନାରେ ଜଣେ ବ୍ୟକ୍ତି ତାଙ୍କର ଦୀର୍ଘ ଦିନର ଭାବି ପତ୍ନୀଙ୍କୁ ବିବାହ କରିଛନ୍ତି। ୨୭ ବର୍ଷିୟ ଶାହାନଓ୍ଵାଜ୍‌ ଗୁଲ୍‌ ନାମକ ସେ ବ୍ୟକ୍ତି ତାଙ୍କର ଅନ୍ତଃସତ୍ତ୍ୱା ଭାବି ପତ୍ନୀ ୨୭ ବର୍ଷୀୟ ଗୁଲ୍‌ ବାନୋଙ୍କୁ ବାହାହୋଇଛନ୍ତି।

ଅନ୍ତଃସତ୍ତ୍ୱା ହେବା ପରେ ମଧ୍ୟ ଗୁଲ୍‌ ବାନୋଙ୍କୁ ବିବାହ କରିବାକୁ ଶାହାନ୍‌ଓ୍ଵାଜ୍‌ ମନା କରିବାରୁ ମାମଲା ଥାନାରେ ପହଞ୍ଚିଥିଲା। ଦୁହିଁଙ୍କ ମଧ୍ୟରେ ୨ ବର୍ଷ ହେବ ସମ୍ପର୍କ ଥିଲା। କିନ୍ତୁ, ଗୁଲ୍‌ ଅନ୍ତଃସତ୍ତ୍ୱା ହେବା କଥା ଶାହାନ୍‌ଓ୍ଵାଜ୍‌ଙ୍କୁ କହି ବିବାହ କରିବାକୁ ଜିଗର ଲଗାଇବାରୁ ସେ ମନା କଲେ। ଶେଷରେ ଗୁଲ୍‌ଙ୍କ ପରିବାର ଅଭିଯୋଗ ନେଇ ଥାନାକୁ ଗଲେ। ଉଭୟ ପରିବାରଙ୍କୁ ଥାନାକୁ ଡକାଯାଇ ଏହାର ଆଇନଗତ ପରିଣାମ ସଂକ୍ରାନ୍ତରେ (ଜେଲ୍‌ ଏବଂ ଅନ୍ୟାନ୍ୟ ଦଣ୍ଡ) ବୁଝାଇ ଦିଆଯାଇଥିଲା। ଉଭୟ ପକ୍ଷ ବିବାହ ଲାଗି ରାଜି ହୋଇଥିଲେ। ଉଭୟ ସାବାଳକ ହୋଇଥିବାରୁ ଥାନାରେ ହିଁ ବାହାଘର ହୋଇଥିଲା।

କୋଓ୍ଵାଲି ଥାନା ପରିସରରେ ଟେଣ୍ଟ୍‌ ବନ୍ଧାଯାଇ ବାହାଘର ଆୟୋଜନ କରାଗଲା। ଉଭୟ ପକ୍ଷର ବନ୍ଧୁବାନ୍ଧବ ଏକତ୍ର ହେଲେ ଓ ମୌଲବି ଆସି ଗୁଲ୍‌ ଏବଂ ଶାହାନଓ୍ଵାଜ୍‌ଙ୍କ ବାହାଘର କରାଇଲେ।

ସମ୍ବନ୍ଧିତ ଖବର