ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଉପରେ ‘ୟୁନାଇଟେଡ୍ ଷ୍ଟେଟସ୍ କମିସନ୍ ଅନ୍ ଇଣ୍ଟର୍ନ୍ୟାସ୍ନାଲ୍ ରିଲିଜିୟସ୍ ଫ୍ରିଡମ୍’ (ୟୁଏସ୍ସିଆଇଆର୍ଏଫ୍) ଦେଇଥିବା ବିବୃତି ଅବାସ୍ତବ ଏବଂ ବିଭ୍ରାନ୍ତିକର ବୋଲି ଭାରତ କହିଛି।
ଗୁରୁବାର ଦିନ ଏକ ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଦିଲ୍ଲୀର ହିଂସାକାଣ୍ଡ ବିଷୟରେ ‘ୟୁଏସ୍ସିଆଇଆର୍ଏଫ୍’, କେତେକ ଗଣମାଧ୍ୟମ ଏବଂ କିଛି ବ୍ୟକ୍ତିବିଶେଷ ଦେଇଥିବା ବିବୃତି ଆମ ଦୃଷ୍ଟିଗୋଚର ହୋଇଛି। ଏଗୁଡ଼ିକ ଅବାସ୍ତବ ଏବଂ ବିଭ୍ରାନ୍ତିକର। ଘଟଣାକୁ ରାଜନୀତିକରଣ କରାଯିବା ଉଦ୍ଦେଶ୍ୟରେ ଏହି ବିବୃତି ସବୁ ଦିଆଯାଇଥିବା ପରି ମନେହୁଏ।
ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ହିଂସା ରୋକି ବିଶ୍ୱାସ ଓ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ଘଟଣାସ୍ଥଳରେ ଆମ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନେ କାମ କରୁଛନ୍ତି। ଏହି ପ୍ରକ୍ରିୟାରେ ସରକାରଙ୍କର ବରିଷ୍ଠ ପ୍ରତିନିଧିମାନେ ସମ୍ପୃକ୍ତ ଅଛନ୍ତି। ଶାନ୍ତି ଓ ଭ୍ରାତୃତ୍ୱ ନିମନ୍ତେ ପ୍ରଧାନମନ୍ତ୍ରୀ ମଧ୍ୟ ସର୍ବସାଧାରଙ୍କୁ ନିବେଦନ କରିଛନ୍ତି। ଏ ଭଳି ସ୍ପର୍ଶକାତର ସମୟରେ ଦାୟିତ୍ୱହୀନ ବିବୃତି ନ ଦେବାକୁ ଆମେ ନିବେଦନ କରୁଛୁ।
/sambad/media/post_attachments/wp-content/uploads/2020/02/dv-300x168.jpg)
ଦିଲ୍ଲୀ ହିଂସାକାଣ୍ଡ ଉପରେ ଗଭୀର ଚିନ୍ତା ବ୍ୟକ୍ତ କରି ‘ୟୁଏସ୍ସିଆଇଆର୍ଏଫ୍’ ବୁଧବାର ଦିନ କହିଥିଲା ଯେ ଧର୍ମବିଶ୍ୱାସ ନିର୍ବିଶେଷରେ ଭାରତ ସରକାର ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଉଚିତ।
ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ହେଉଛି ବୋଲି ସେମାନେ ଖବର ପାଇଥିଲେ।
ହସ୍ତଗତ ହୋଇଥିବା ସଦ୍ୟତମ ସୂଚନା ଅନୁସାରେ, ଉତ୍ତର ଦିଲ୍ଲୀରେ ‘ସିଏଏ’ ସମ୍ବନ୍ଧୀୟ ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୩୨ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି।