ଦିଲ୍ଲୀରେ ଭଣ୍ଡ ବାବାଙ୍କ ଅପକର୍ମ ଧରାପଡ଼ିଲା

ନୂଆଦିଲ୍ଲୀ: ଆଧ୍ୟାତ୍ମିକତା ଓ ଈଶ୍ୱରସେବାର ଦ୍ୱାହି ଦେଇ ଭୟଙ୍କର କୁକର୍ମରେ ମାତିଥିବା ଆଉ ଜଣେ ଭଣ୍ଡବାବାଙ୍କ ଆଜି ପର୍ଦ୍ଦାଫାସ ହୋଇଛି। ଦିଲ୍ଲୀରେ ଜଣେ ବାବା ନିରୀହ ନାବାଳିକାଙ୍କୁ ବନ୍ଦୀ କରି ଯୌନ ଶୋଷଣ ଚଳାଇଥିବା ପ୍ରମାଣ ମିଳିବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ସିର୍ସା ସ୍ଥିତ ଡେରା ଆଶ୍ରମରେ ଯେଭଳି ବାବା ରାମ୍‌ ରହିମ ନିଜର ପ୍ରାପ ସାମ୍ରାଜ୍ୟ ବିସ୍ତାର କରିଥିଲା ଏବଂ ନିଜକୁ ଭଗବାନଙ୍କ ଅବତାର କହି ତରୁଣୀମାନଙ୍କୁ ଶୋଷଣ କରୁଥିଲା ଠିକ୍‌ ସେମିିତି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେୀ। ଉତ୍ତର ଦିଲ୍ଲୀର ରୋହିଣୀ ସ୍ଥିତ ଏକ ଆଶ୍ରମ ‘ଆଧ୍ୟାତ୍ମିକ ବିଶ୍ୱ ବିଦ୍ୟାଳୟ’ ପରିସରରେ ଶତାଧିକ ଯୁବତୀ (ଅଧିକାଂଶ ନାବାଳିକା)ଙ୍କୁ କାରାରୁଦ୍ଧ ଅବସ୍ଥାରେ ରଖାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଉଥିବା ଅଭିଯୋଗ ହେବାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଚଢ଼ଉ ଜାରି ରହିଛି। ଆଶ୍ରମରେ ଚାଲିଥିବା ଅତ୍ୟାଚାର ସହିନପାରି କିଛି ନାବାଳିକା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଉକ୍ତ ଆଶ୍ରମ ବିରୋଧରେ ସିବିଆଇ ତଦନ୍ତ ପାଇଁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ନିର୍ଦ୍ଦେଶକ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି (ସ୍ୱତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିବାକୁ କୋର୍ଟ କହିଛନ୍ତି।

ଦିଲ୍ଲୀ ପୁଲିସ ଆଶ୍ରମ ପରିସରରେ ଯାଞ୍ଚ ଆରମ୍ଭ କରିବା ସହ ଏହାର ସମସ୍ତ ଦୃଶ୍ୟ ରେକର୍ଡିଂ କରିଛି। ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମଲିଓ୍ଵାଲ୍‌ ମଧ୍ୟ ଯାଞ୍ଚ ସମୟରେ ଉପସ୍ଥିତ ରହି ପୁଲିସକୁ ସାହାଯ୍ୟ କରିବା ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଯାଞ୍ଚ ପାଇଁ ହାଇକୋର୍ଟ ଯେଉଁ ପ୍ୟାନେଲକୁ ନିଯୁକ୍ତି ଦେଇଥିଲେ ଉକ୍ତ ପ୍ୟାନେଲର ସଦସ୍ୟମାନେ ଆଶ୍ରମ ପରିସରରେ ଯାଞ୍ଚ ଆରମ୍ଭ କରିବା ସମୟରେ ଆଶ୍ରମରେ ସେମାନଙ୍କୁ ଅପମାନିତ କରାଯିବା ସହ ଘଣ୍ଟାଏ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା। ଉକ୍ତ ପ୍ୟାନେଲ ଦର୍ଶାଇଛନ୍ତି ଯେ ଆଶ୍ରମରେ ଝିଅମାନଙ୍କୁ ପଶୁତୁଲ୍ୟ ଲୁହା ଗ୍ରିଲ୍‌ ଭିତରେ ରଖାଯାଇଛି। ସେମାନଙ୍କ ବୟସ ୧୧ରୁ ୨୦ ବର୍ଷ ଭିତରେ ହେବ ବୋଲି ଜଣାପଡ଼ିଛି। ବନ୍ଦୀ ନାବାଳିକା ଓ ଯୁବତୀଙ୍କ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିବା ବେଳେ ସଂସ୍ଥାର ମୁଖ୍ୟ ବୀରେନ୍ଦ୍ର ଦେବ ଦିକ୍ଷୀତଙ୍କୁ ପୁଲିସ ଏବେ ଜେରା କରୁଛି। ତେବେ ତାଙ୍କର ଗିରଫଦାରୀ ସଂପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ସ୍ୱେଚ୍ଛାସେବୀ ସଂସ୍ଥା ‘ଫାଉଣ୍ଡେସନ ଫର ସୋସିଆଲ ଏମ୍‌୍‌ପାଓ୍ଵାରମେଣ୍ଟ୍‌’ ଉକ୍ତ ଆଶ୍ରମ ବିରୋଧରେ କୋର୍ଟରେ ଆବେଦନ କରିବାପରେ କୋର୍ଟ ତ୍ୱରିତ ପଦକ୍ଷେପ ନେଇଛନ୍ତି। ଆବେଦନରେ କୁହାଯାଇଛି ଯେ ଆଶ୍ରମରେ ଅନେକ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ପୁଲିସରେ ଅଭିଯୋଗ ହୋଇଥିଲେ ବି ପୁଲିସ ଏଫଆଇଆର ରୁଜୁ କରିନାହିଁ। ଆଶ୍ରମରେ ଦୀର୍ଘ ୧୪ ବର୍ଷ ଧରି ଏଭଳି କାଣ୍ଡ ଚାଲିଥିଲେ ମଧ୍ୟ କେହି ଟେର୍‌ ନପାଇବା ବିସ୍ମୟ ସୃଷ୍ଟି କରିଛି।

ୟୁପି ଆଶ୍ରମରେ ୪ ସାଧ୍ୱୀଙ୍କୁ ଦୁଷ୍କର୍ମ, ମହନ୍ତ ଫେରାର
ଲକ୍ଷ୍ନୌ:ଉତ୍ତର ପ୍ରଦେଶର ବସ୍ତି ଜିଲ୍ଳାର ଏକ ଆଶ୍ରମରେ ମହନ୍ତଙ୍କ ଦ୍ୱାରା ଲଗାତାର ଦୁଷ୍କର୍ମ ଏବଂ ଶୋଷଣର ଶିକାର ହୋଇଥିବା ନେଇ ୪ଜଣ ସାଧ୍ୱୀ ଅଭିଯୋଗ କରିଛନ୍ତି। ଆଶ୍ରମ ମୁଖ୍ୟ ମହନ ସଚ୍ଚିଦାନନ୍ଦ ଏବଂ ତାଙ୍କର ଦୁଇଜଣ ସହଯୋଗୀଙ୍କ ଦ୍ୱାରା ଆଶ୍ରମ ପରିସରରେ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମର ଶିକାର ହୋଇଥିବା ନେଇ ୪ଜଣ ସାଧ୍ୱୀ ଗତକାଲି ବସ୍ତି ପୁଲିସ ଷ୍ଟେସନରେ ଏତଲା ଦାଏର କରିଛନ୍ତି। ମାମଲା ରୁଜୁ ହେବାପରେ ଅଭିଯୁକ୍ତ ମହନ୍ତମାନେ ଫେରାର ହୋଇଯାଇଛନ୍ତି। ବସ୍ତି ଏସପି ସଙ୍କଳ୍ପ ଶର୍ମା କହିଛନ୍ତି ଯେ ଯୌନ ଅତ୍ୟାଚାର ନେଇ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର