ଦିଲ୍ଲୀ ଏମ୍ସରୁ ନକଲି ଡାକ୍ତର ଗିରଫ

ନୂଆଦିଲ୍ଲୀ: ଦୀର୍ଘ ୫ ମାସ ଧରି ଦିଲ୍ଲୀ ଏମ୍ସରେ ନିଜକୁ ଡାକ୍ତର ବୋଲି ପରିଚୟ ଦେଉଥିବା ବିହାରର ୧୯ ବର୍ଷର ଯୁବକ ଅଦନାନ୍‌ ଖୁରମ୍‌କୁ ଆଜି ପୁଲିସ୍‌ ଗିରଫ କରିଛି। ଏନେଇ ପୁଲିସ୍‌ ଅଦନାନ୍‌ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଔଷଧ, ଭାରତୀୟ ଚିକିତ୍ସା ବ୍ୟବସ୍ଥାରେ ଅଦନାନ୍‌ର ପ୍ରଗାଢ ଜ୍ଞାନ ଦେଖି ପୁଲିସ୍‌ ମଧ୍ୟ ଆଚମ୍ବିତ ହୋଇଯାଇଥିଲା। ତେବେ ଅଦନାନ୍‌ର ଭଉଣୀ ଦିଲ୍ଲୀ ଏମ୍ସରେ କ୍ୟାନ୍ସର ରୋଗରେ ଚିକିତ୍ସିତ ହେଉଥିବାରୁ ଉତ୍ତମ ଚିକିତ୍ସା ପାଇଁ ସେ ଏହି ନକଲି ଡାକ୍ତର ବେଶ ଧାରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ,ଗତ ୫ ମାସ ହେବ ଦେହରେ ଧଳା କୋର୍ଟ, ବେକରେ ଷ୍ଟେଥୋସ୍କୋପ୍‌ ପକାଇ ଅଦନାନ୍‌ ନିଜକୁ ଜୁନିଅର ଡାକ୍ତର ବୋଲି ପରିଚୟ ଦେଉଥିଲା। ନିଜର ନକଲି ପରିଚୟ ସୃଷ୍ଟି କରି ଅଦନାନ୍‌ ଏମ୍ସ ଡାକ୍ତର ଏବଂ କର୍ତ୍ତୃପକ୍ଷଙ୍କ ସହ ଉତ୍ତମ ବନ୍ଧୁତା ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର