ରେଳବାଇରେ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିବା ୩ ଠକଙ୍କୁ ଓଡ଼ିଶା ଓ ପଶ୍ଚିମବଙ୍ଗର ୬ ସ୍ଥାନରେ ଚଢ଼ାଉ କରି ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ରେଳବାଇରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଚାକିରି ଆଶାୟୀମାନଙ୍କ ଠାରୁ ଅର୍ଥ ଲୁଟୁଥିବା ଏକ ଗ୍ୟାଙ୍ଗ୍‌ର ତିନିଜଣ ସଦସ୍ୟଙ୍କୁ ଆଜି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗିରଫ କରିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗର ଛଅଟି ସ୍ଥାନରେ ସିବିଆଇ ଅଧିକାରୀମାନେ ଚଢ଼ାଉ କରି ଏହି ଛଅଜଣ ଠକଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, କେତେକ ଠକ ଓ ଦଲାଲ ରେଳବାଇରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଚାକିରି ଆଶାୟୀମାନଙ୍କ ଠାରୁ ଅର୍ଥ ଲୁଟୁଥିବା ସଂପର୍କରେ ଏକାଧିକ ଅଭିଯୋଗ ପାଇବା ପରେ ସିବିଆଇ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ କାଳରେ ସିବିଆଇ ଅଧିକାରୀମାନେ ଆଜି (ବୁଧବାର) ଓଡ଼ିଶା ସମେତ ପଶ୍ଚିମବଙ୍ଗର ଛଅଟି ସ୍ଥାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ କାଳରେ ସିବିଆଇ ଅଧିକାରୀମାନେ ଏହି ଠକ ଓ ଦଲାଲ ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ରେଳବାଇରେ ଚାକିରି ଉଦ୍ଦେଶ୍ୟରେ ପୂରଣ ହୋଇଥିବା ଏକାଧିକ ଫର୍ମ ସମେତ ଅନ୍ୟ ବହୁ ଆପତ୍ତିଜନକ ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜାଣିବାକୁ ମିଳିଛି।

ଏହି ଠକ ଗ୍ୟାଙ୍ଗ ଇଣ୍ଡିଆନ୍‌ ରେଲେଓ୍ଵ କ୍ୟାଟରିଂ ଆଣ୍ଡ ଟୁରିଜିମ୍‌ କର୍ପୋରେସନ୍‌ (ଆଇଆରସିଟିସି)ରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ ଚାକିରି ଆଶାୟୀମାନଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ହଡ଼ପ୍‌ କରୁଥିବା ସଂପର୍କରେ ସୂଚନା ପାଇବା ପରେ ଭାରତୀୟ ରେଳ ବିଭାଗ ନିଜ ଆଧିକାରିକ ଟୁଇଟର ପୃଷ୍ଠାରେ ଏପରି ଠକ ଓ ଦଲାଲମାନଙ୍କ ଠାରୁ ସାବଧାନ ରହିବା ପାଇଁ ରେଳବାଇରେ ଚାକିରି ଆଶାୟୀମାନଙ୍କୁ ପରାମର୍ଶ ଦେଇଥିଲା। ପରେ ସିବିଆଇ ପକ୍ଷରୁ ଏହି ଠକ ଓ ଦଲାଲ ଗ୍ୟାଙ୍ଗକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର